ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ଜମା ଟଙ୍କା ବର୍ଷକ ଭିତରେ ୫୦ ପ୍ରତିଶତ ବୃଦ୍ଧି

add-all

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବୃଦ୍ଧି ପାଇଛି। ଯାହାର ପରିମାଣ ୩୦ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ଗତ ୧୪ ବର୍ଷ ଭିତରେ ଏହା ଭାରତୀୟଙ୍କ ସର୍ବାଧିକ ଜମାରାଶି। ୨୦୨୧ ତୁଳନାରେ ୨୦୨୨ରେ ଜମାରାଶିରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। କରୋନା ସଂକ୍ରମଣ ଥମିବା ପରେ ହଠାତ୍ ଭାରତୀୟଙ୍କ ଟଙ୍କା ଏହି ବିଦେଶୀ ବ୍ୟାଙ୍କରେ ବୃଦ୍ଧି ହେବା ଆଲୋଚନାର ପ୍ରସଙ୍ଗ ହୋଇଛି। ୨୦୨୦ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ୨୦ ହଜାର ୭୦୦ କୋଟି ଟଙ୍କା ଥିଲା। ଜମା ରାଶିରେ ସଞ୍ଚୟ ଖାତା, ପ୍ରତିଭୂତି ଓ ଅନ୍ୟାନ୍ୟ ନିବେଶକୁ ନିଆଯାଇଛି।
ଏହା ପୂର୍ବରୁ ୨୦୦୬ ମସିହାରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ସର୍ବୋଚ୍ଚ ସ୍ତରରେ ଥିଲା। ତାହା ପରେ ୨୦୧୧, ୨୦୧୩, ୨୦୧୭, ୨୦୨୦, ୨୦୨୧କୁ ବାଦ ଦେଲେ ଅନ୍ୟ ସବୁ ବର୍ଷ ଜମା ରାଶି ହ୍ରାସ ପାଇଥିଲା। ୨୦୧୯ରେ ସବୁ ବର୍ଗରେ ଜମା ରାଶି ହ୍ରାସ ପାଇଥିବା ବେଳେ ୨୦୨୧ରେ ସବୁ ବର୍ଗରେ ଜମା ବଢ଼ିଛି ବୋଲି ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।
ସ୍ୱିସ୍ ବ୍ୟାଙ୍କରେ ସର୍ବାଧିକ ଜମା ରାଶି ରଖିଥିବା ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ରହିଛନ୍ତି ବ୍ରିଟେନ, ଆମେରିକା, ୱେଷ୍ଟଇଣ୍ଡିଜ, ଜର୍ମାନ, ସିଙ୍ଗାପୁର, ହଂକଂ, ଲକ୍ସମ୍ବର୍ଗ, ବାହାମାସ, ନେଦରଲ୍ୟାଣ୍ଡ, କେମ୍ୟାନ୍ ଦ୍ୱୀପ ଓ ସାଇପ୍ରସ୍। ଭାରତ ଏହି ତାଲିକାର ୪୪ତମ ସ୍ଥାନରେ ରହିଛି। ପୋଲାଣ୍ଡ, ଦକ୍ଷିଣ କୋରିଆ, ସ୍ୱିଡ଼େନ, ବାହାରିନ୍, ଓମାନ, ନ୍ୟୁଜଲାଣ୍ଡ, ନରୱେ, ମରିସସ୍, ବାଂଲାଦେଶ, ପାକିସ୍ତାନ, ହଙ୍ଗେରି ଓ ଫିନଲ୍ୟାଣ୍ଡବାସୀଙ୍କ ତୁଳନାରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଅଧିକ ଜମା ରାଶି ରହିଛି। ବ୍ରିକ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ଋଷ ୧୫ତମ ସ୍ଥାନରେ ଥିବା ବେଳେ ଚାଇନା ୨୪ ତମ ସ୍ଥାନରେ ରହିଛି।
ଭାରତର ସ୍ୱିସ୍ ବ୍ୟାଙ୍କରେ ଜମା ଏକ ରାଜନୈତିକ ପ୍ରସଙ୍ଗ। ସ୍ୱିସ୍ ବ୍ୟାଙ୍କରେ ବିପୁଳ ପରିମାଣର କଳାଧନ ଜମା ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ତେବେ ବ୍ୟାଙ୍କ ଗ୍ରାହକଙ୍କ ତଥ୍ୟକୁ ଗୋପନ ରଖିବା ଲାଗି ସ୍ୱିଜରଲ୍ୟାଣ୍ଡର ନୀତି ଟିକସ ଠକେଇ, ଜାଲିଆତି, ଆର୍ଥିକ ହେରଫେର କରୁଥିବା ଲୋକମାନଙ୍କୁ ସୁହାଉଥିବା ମଧ୍ୟ ଅଭିଯୋଗ ହେଉଛି। ଏହି ଅପବାଦରୁ ମୁକ୍ତି ପାଇବା ଲାଗି ସ୍ୱିଜରଲ୍ୟାଣ୍ଡ ସରକାର ବିଭିନ୍ନ ଦେଶ ସହିତ ସ୍ୱୟଂକ୍ରିୟ ବ୍ୟାଙ୍କ ତଥ୍ୟ ଆଦାନପ୍ରଦାନ ନେଇ ବୁଝାମଣା ସ୍ୱାକ୍ଷର କରିଛନ୍ତି। ଭାରତ ସହିତ ମଧ୍ୟ ଏଭଳି ବୁଝାମଣା ହୋଇଛି। ଯାହା ଅନ୍ତର୍ଗତ ଭାରତକୁ ଏହି ତଥ୍ୟ ମିଳୁଛି। ତେବେ ଏ ପର୍ଯ୍ୟନ୍ତ କେତେ ପରିମାଣର କଳାଟଙ୍କା ଏହି ବିଦେଶୀ ବ୍ୟାଙ୍କରେ ଜମା ହୋଇଛି, ସେନେଇ ସରକାର ସ୍ପଷ୍ଟ କରୁନାହାନ୍ତି। ଏହା କେବଳ ଏକ ରାଜନୈତିକ ବୟାନବାଜି ହୋଇ ରହିଯାଇଛି।

ad-week
Leave A Reply

Your email address will not be published.