ନୂପୁରଙ୍କ ପତ୍ତା ମିଳୁନି, ଖୋଜୁଛି ପୁଲିସ୍

add-all

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ତଥା ବିଭିନ୍ନ ବର୍ଗରୁ ତୀବ୍ର ସମାଲୋଚନାର ଶିକାର ହୋଇଥିବା ନୂପୁର ଶର୍ମାଙ୍କ ପତ୍ତା ମିଳୁନି।
ତାଙ୍କ ବିରୋଧରେ ଅନେକ ରାଜ୍ୟର ପୁଲିସ୍ ମାମଲା ରୁଜୁ କରିଛନ୍ତି। ମେ’ ୨୮ ତାରିଖରେ ମୁମ୍ବାଇ ପୁଲିସ୍ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ରାଜା ଏକାଡେମୀ ନାମକ ଏକ ମୁସ୍‌ଲିମ୍ ସଂଗଠନର ଯୁଗ୍ମ ସଂପାଦକ ଇରଫାନ ଶେଖଙ୍କ ଏତଲା କ୍ରମେ ମୁମ୍ବାଇ ପୁଲିସ୍ ନୂପୁରଙ୍କ ନାଁରେ ମାମଲା ରୁଜୁ କରିଥିଲା।
ଏହି ମାମଲାରେ ପଚରାଉଚରା କରିବା ପାଇଁ ମୁମ୍ବାଇ ପୁଲିସ୍‌ର ଏକ ଟିମ୍ ଦିଲ୍ଲୀ ଆସିଥିବା ବେଳେ ନୂପୁର ଶର୍ମାଙ୍କୁ ପାଇନଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ୍ କହିଛି ଯେ ତାଙ୍କର ପତ୍ତା ମିଳୁନି।
ମୁମ୍ବାଇ ପୁଲିସ୍ ୫ ଦିନ ହେଲା ଦିଲ୍ଲୀରେ ଡେରା ପକାଇ ରହିଛି। ସେମାନେ ନୂପୁର ଶର୍ମାଙ୍କୁ ଖୋଜୁଛନ୍ତି। ମହାରାଷ୍ଟ୍ର ଗୃହ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ନୂପୁରଙ୍କ ଗିରଫ କରିବା ପାଇଁ ମୁମ୍ବାଇ ପୁଲିସ୍ ପାଖରେ ଯଥେଷ୍ଟ ପ୍ରମାଣ ରହିଛି।
କୋଲକାତାରେ ମଧ୍ୟ ନୂପୁର ଶର୍ମାଙ୍କ ବିରୋଧରେ ପୁଲିସ୍‌ରେ ଏତଲା ଦିଆଯାଇଛି। ତୃଣମୂଳ କଂଗ୍ରେସର ସଂଖ୍ୟାଲଘୁ ସେଲ୍‌ ସାଧାରଣ ସଂପାଦକ ଅବୁଲ ସୋହେଲ ଏହି ଏତଲା ଦେଇଛନ୍ତି। ତାଙ୍କ ଏତଲା ଉପରେ କୋଲକାତା ପୁଲିସ୍ ନୂପୁର ଶର୍ମାଙ୍କୁ ଜୁନ୍ ୨୦ରେ ହାଜର ହୋଇ ତାଙ୍କ ବୟାନ ରେକର୍ଡ କରାଇବାକୁ ସମନ ଜାରି କରିଛି।
ସେହିଭଳି ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣାରେ ଦିଲ୍ଲୀ ପୁଲିସ୍ ନୂପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ କେବଳ ଦେଶ ଭିତରେ ନୁହେଁ, ପ୍ରାୟ ସମସ୍ତ ମୁସ୍‌ଲିମ୍ ବହୁଳ ରାଷ୍ଟ୍ର ଗୁଡ଼ିକ ଭାରତ ସରକାରଙ୍କୁ ତୀବ୍ର ନିନ୍ଦା କରିବା ସହିତ ନୂପୁର ଶର୍ମାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଭାରତରେ ଏହାକୁ ନେଇ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିବା ବେଳେ କିଛି ମୁସ୍‌ଲିମ୍ ରାଷ୍ଟ୍ର ଭାରତର ଉତ୍ପାଦକୁ ବୟକଟ କରିଥିଲେ।

ad-week
Leave A Reply

Your email address will not be published.