ଉଦ୍ଧବ ଠାକରେଙ୍କୁ ମେଣ୍ଟ ସରକାରରୁ ଓହିରିବାକୁ କହିଲେ ଏକନାଥ ସିନ୍ଦେ

add-all

ନୂଆଦିଲ୍ଲୀ: ଶିବସେନା ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜବାବ ଦେଇଛନ୍ତି। ଏକନାଥଙ୍କ ବିଦ୍ରୋହ ଯୋଗୁ ମହା ବିକାଶ ଅଘାଡି (ଏମଭିଏ) ସରକାର ସଙ୍କଟରେ ପଡ଼ିଛି। ଶିବସେନା ନେତୃତ୍ୱରେ ଚାଲିଥିବା ଏହି ମେଣ୍ଟ ସରକାରରେ କଂଗ୍ରେସ ଓ ଏନସିପି ରହିଛନ୍ତି। ତେବେ ଶିବସେନାକୁ ଏହି ମେଣ୍ଟ ସରକାରୁ ଓହରି ଯିବାକୁ ଏକନାଥ ସିଧାସଳଖ ପରାମର୍ଶ ଦେଇଛନ୍ତି। ଦୁଇ ଦଳ ସହ ଶିବସେନା କରିଥିବା ଅପ୍ରାକୃତିକ ମେଣ୍ଟରୁ ଓହରିବା ହିଁ ଶିବ ସୈନିକଙ୍କ ପାଇଁ ଭଲ ହେବ ବୋଲି ସେ କହିଛନ୍ତି।
ଆଜି ସନ୍ଧ୍ୟାରେ ବିଦ୍ରୋହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ରହିଛନ୍ତି ଓ ଯେକୌଣସି ଶିବ ସୈନିକ ଏହି ପଦରେ ବସିପାରିବେ ବୋଲି କହିଥିଲେ। ଏହାପରେ ଏନସିପି ମୁଖ୍ୟ ଶରଦ ପାୱାର ଓ କିଛି ବରିଷ୍ଠ କଂଗ୍ରେସ ନେତା ଉଦ୍ଧବଙ୍କ ସହ ବୈଠକ କରିଥିଲେ।
ଏହି ବୈଠକରେ ବିଦ୍ରୋହୀଙ୍କୁ ମନେଇବା ପାଇଁ ଏନସିପି ଓ କଂଗ୍ରେସ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜି ଥିବା ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏକନାଥ ସିନ୍ଦେ ଉଭୟ କଂଗ୍ରେସ ଓ ଏନସିପିକୁ ତୀବ୍ର ସମାଲୋଚନା କରିଛନ୍ତି।
ସେ କହିଛନ୍ତି, “ଅଢ଼େଇ ବର୍ଷର ମେଣ୍ଟ ସରକାରର ଶାସନ ସମୟରେ ଶିବସେନା ହିଁ କ୍ଷତି ସହିଛି। ମେଣ୍ଟରେ ଥିବା ଅନ୍ୟ ଦଳ ଲାଭବାନ ହୋଇଛନ୍ତି। ଅନ୍ୟ ଦଳ ଶକ୍ତିଶାଳୀ ହେବାରେ ଲାଗିଥିବା ବେଳେ ଶିବସେନା ଦିନକୁ ଦିନ ଦୁର୍ବଳ ହେବାର ଲାଗିଛି। ଦଳ ଓ ଶିବ ସୈନିକଙ୍କ ସୁରକ୍ଷା ପାଇଁ ଅପ୍ରାକୃତିକ ମେଣ୍ଟ ତୁରନ୍ତ ଭାଙ୍ଗିବା ଦରକାର। ମହାରାଷ୍ଟ୍ରବାସୀଙ୍କ ସ୍ୱାର୍ଥ ପାଇଁ ତୁରନ୍ତ ଏପରି ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ।”
ଏହାପୂର୍ବରୁ ସେ ଉଦ୍ଧବ ଠାକରେଙ୍କ ସହ ଫୋନରେ କଥା ହେବା ବେଳେ ବିଜେପି ସହ ମେଣ୍ଟ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଉଦ୍ଧବ ଏଥିରେ ରାଜି ହୋଇ ନାହାନ୍ତି। ଆଜି ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ପରେ ତାଙ୍କ ସରକାରୀ ବାସଭବନ ବର୍ଷା ବଙ୍ଗଳା ଛାଡ଼ି ବ୍ୟକ୍ତିଗତ ଘର ମାତୋଶ୍ରୀକୁ ଚାଲି ଯିବେ ବୋଲି କହିଥିଲେ। ଏବେ ଅର୍ଥାତ ରାତି ୧୦ଟା ସମୟରେ ସେ ବାସଭବନ ଖାଲି କରୁଥିବା ଖବର ଆସିଛି।

ad-week
Leave A Reply

Your email address will not be published.