ମୋ ବାପା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ: ଆଦିତ୍ୟ ଠାକରେ

add-all

ମୁମ୍ବାଇ: ମହାରାଷ୍ଟ୍ରରେ ଶାସନ କ୍ଷମତାକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ମହାରାଷ୍ଟ୍ରର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ଯେ, ଗତ ମେ ୩୦ ତାରିଖରେ ଏକନାଥ ସିନ୍ଦେଙ୍କୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ। ଏବେ ଉଦ୍ଧବ ଅସୁସ୍ଥ ଥିବାରୁ ସେମାନେ ଏହି ସମୟର ଫାଇଦା ଉଠାଉଛନ୍ତି। ଆଦିତ୍ୟ କହିଛନ୍ତି ଯେ, ଯଦି ବିଜେପି ଏହି ବିଦ୍ରୋହରେ ସମ୍ପୃକ୍ତ ନାହିଁ ତେବେ ତାଙ୍କ ବିଧାୟକ ସହ କାହିଁକି ମିଟିଂ କରୁଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର ସରକାରରେ ଉଦ୍ଧବଙ୍କୁ ଛାଡ଼ିଦେବା ପରେ ଆଦିତ୍ୟ ହେଛନ୍ତି ଏକମାତ୍ର କ୍ୟାବିନେଟ ମନ୍ତ୍ରୀ। ବାକି ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ଏବେ ସିନ୍ଦେଙ୍କ କ୍ୟାମ୍ପରେ ଅଛନ୍ତି। ସେହିପରି ଦିନକୁ ସନ୍ଦେଙ୍କ ହାତମୁଠା ଟାଣ ହେବାରେ ଲାଗିଛି। ଏହିକ୍ରମରେ ଏକନାଥ ସିନ୍ଦେଙ୍କ ସହ ଆଉ ଜଣେ ବିଧାୟକ ହାତ ମିଳାଇଛନ୍ତି।
ଶିବସେନା ବିଧାୟକ ଉଦୟ ସାୱନ୍ତ ସିନ୍ଦେଙ୍କ ବିଦ୍ରୋହୀ ଗୋଷ୍ଠୀରେ ଯୋଗଦେବା ପାଇଁ ମୁମ୍ବାଇରୁ ଗୌହାଟୀ ଅଭିମୁଖେ ଯାତ୍ରା କରିଛନ୍ତି। ଉଦୟ ସାୱନ୍ତ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ। ଗତ କିଛି ଦିନ ପର୍ଯ୍ୟନ୍ତ ସେ ଆଦିତ୍ୟ ଏବଂ ଉଦ୍ଧବଙ୍କ ସହ ଅନେକ ସାକ୍ଷାତକାର ଓ ସାମ୍ବାଦିକ ସମ୍ମିଳନୀରେ ନଜର ଆସୁଥିଲେ। ଆଦିତ୍ୟ ଠାକରେଙ୍କ ସହ ଉଦୟଙ୍କ ଭଲ ସମ୍ପର୍କ ଥିଲା ବୋଲି କୁହାଯାଉଛି।
ଏପର୍ଯ୍ୟନ୍ତ ମହାରାଷ୍ଟ୍ର ସରକାରଙ୍କ ୮ଜଣ ମନ୍ତ୍ରୀ ସିନ୍ଦେ ଦଳରେ ଯୋଗ ଦେଇଛନ୍ତି। ଏହାରି ଭିତରେ ବଢ଼ିଛି ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା। ୧୫ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ କେନ୍ଦ୍ର Y + ସୁରକ୍ଷା ଦେଇଛି। CRPF କୁ ବିଧାୟକମାନଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଏକନାଥ ସିନ୍ଦେଙ୍କ ଗ୍ରୁପରେ ଏବେ ଫାଟ ସୃଷ୍ଟି ହେଉଥିବା ଏକ ସୂତ୍ରରୁ ଜଣାପଡିଛି। ସିନ୍ଦେଙ୍କ ଗୋଷ୍ଠୀରେ ଥିବା ବିଧାୟକଙ୍କ ମଧ୍ୟରୁ ୨୦ ଜଣ ବିଦ୍ରୋହୀ ବିଧାୟକ ଉଦ୍ଧବ ଠାକରେଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏହି ବିଧାୟକଙ୍କ ମଧ୍ୟରୁ କେତେକ ବିଜେପି ସହ ମିଶ୍ରଣକୁ ବିରୋଧ କରୁଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.