ରାଷ୍ଟ୍ରପତି ନିର୍ବାଚନ ପାଇଁ ବିମାନରେ ‘ବାଲଟ୍‌ ବକ୍ସ୍‌’ ମାଲ୍‌ ନୁହେଁ, ଯାତ୍ରୀ ହିସାବରେ ଯାଏ

add-all

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଅଧିକାଂଶ ରାଜ୍ୟର ରାଜଧାନୀକୁ ‘ବାଲଟ୍‌ ବକ୍ସ୍‌’ ବା ‘ଭୋଟ୍‌ ବାକ୍ସ’ ସବୁ ପଠାଯାଇଛି। ଏହି କ୍ରମରେ ଦିଲ୍ଲୀରୁ ବିମାନରେ ଭୁବନେଶ୍ବର ଆସି ପହଞ୍ଚିଛି ବାଲଟ ବକ୍ସ। ତେବେ ଉଲ୍ଲେଖନୀୟ କଥା ହେଲା, ଏହି ବାଲଟ ବକ୍ସ ବିମାନରେ ଏକ ମାଲ୍‌ (ଜିନିଷପତ୍ର) ନୁହେଁ, ଜଣେ ଯାତ୍ରୀ ଭାବେ ଏଠାକୁ ଆସିଛି। ଯାତ୍ରୀବାହୀ ବିମାନରେ ଗୋଟିଏ ଆସନ ‘ମି. ବାଲଟ ବକ୍ସ’ ନାମରେ ବୁକ୍ ହୋଇଛି ଏବଂ ବିମାନର ଉକ୍ତ ଆସନରେ ବାଲଟବକ୍ସକୁ ସ୍ଥାନୀତ କରାଯାଇଛି। ଜାତୀୟ ଗଣମାଧ୍ୟମରେ ଏ ସଂପର୍କିତ ରିପୋର୍ଟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ଲାଗି ଉଦ୍ଦିଷ୍ଟ ବାଲଟ୍ ବକ୍ସ ଏହିଭଳି ଭାବେ ରାଜ୍ୟଗୁଡ଼ିକୁ ପଠାଯାଇଥାଏ ଏବଂ ୧୯୬୯ ମସିହାରୁ ଏଭଳି ବ୍ୟବସ୍ଥା ଚାଲିଆସୁଛି।
ପ୍ରଚଳିତ ବ୍ୟବସ୍ଥା ଅନୁସାରେ ବିମାନରେ ପଠାଯାଉଥିବା ପ୍ରତ୍ୟେକ ‘ଭୋଟ୍‌ ବାକ୍ସ’ ନିମନ୍ତେ ଗୋଟିଏ ଗୋଟିଏ ପୃଥକ୍‌ ସିଟ୍‌ ଆବଣ୍ଟନ କରାଯାଇଥାଏ। ସେଥି ନିମନ୍ତେ ‘ମିଷ୍ଟର୍‌ ବାଲଟ୍‌ ବକ୍ସ୍‌’ ନାଁରେ ବିମାନର ଆଗ ଧାଡ଼ିରେ ଥିବା ସିଟ୍‌ରେ ଟିକେଟ୍‌ ମଧ୍ୟ ବୁକିଙ୍ଗ୍‌ କରାଯାଇଥାଏ। ‘ବାଲଟ୍‌’କାଗଜ ଏବଂ ଭୋଟ୍‌ ମାର୍କ କରିବା ପାଇଁ ସ୍ବତନ୍ତ୍ର କଲମ ଆଦି ଭୋଟ୍‌ ଦାନ ସାମଗ୍ରୀ ଧରି ଯାଉଥିବା ଅଧିକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ସିଟ୍‌ ପାଖରେ ‘ଭୋଟ୍‌’ ବାକ୍ସକୁ ବସାଇ ଦିଆଯାଇଥାଏ।
ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ଦିନ ୧୪ଟି ‌‘ଭୋଟ୍‌ ବାକ୍ସ’ ପଠଯାଇଥିବା ବେଳେ ଆଜି ୧୬ଟି ‘ଭୋଟ୍‌ ବାକ୍ସ’ ପଠାଯିବ। କିନ୍ତୁ, ହିମାଚଳ ପ୍ରଦେଶକୁ ପଠାଯିବାକୁ ଥିବା ‘ଭୋଟ୍‌ ବାକ୍ସ’ ସଡ଼କ ପଥରେ ପଠାଯିବ ବୋଲି ସରକାରୀ ଅଧିକାରୀମ‌ାନେ କହିଛନ୍ତି।
ରାଜ୍ୟ ରାଜଧାନୀମାନଙ୍କରେ ‘ଭୋଟ୍‌ ବାକ୍ସ’ ଓ ‘ବାଲଟ୍‌ କାଗଜ’ ପହଞ୍ଚିଯିବା ପରେ ସେଗୁଡ଼ିକୁ ପୂର୍ବରୁ ‘ସାନିଟାଇଜ୍‌’ କରାଯାଇ ଉତ୍ତମ ରୂପେ ମୁଦ ଦିଆଯାଇଥିବା ‘ଷ୍ଟ୍ରଙ୍ଗ୍‌ରୁମ୍‌’ରେ ରଖାଯିବ। ସମୁଦାୟ ପ୍ରକ୍ରିୟା ଭିଡିଓ ଗ୍ରାଫି ମଧ୍ୟ କରାଯିବ।
ଭୋଟ୍‌ ଗ୍ରହଣ ଶେଷ ହେବା ପରେ ଭୋଟ୍‌ ପଡ଼ିଥିବା ବାକ୍ସଗୁଡ଼ିକୁ ମୁଦ ଦିଆଯାଇ ବନ୍ଦ କରାଯିବ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ସେଗୁଡ଼ିକୁ ବିମାନ ଯୋଗେ ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ କାର୍ଯ୍ୟାଳୟକୁ (ଚଳିତ ଥର ରାଜ୍ୟସଭା ସଚିବାଳୟ) ପଠାଯିବ। ‌‘ଭୋଟ୍‌ ବାକ୍ସ୍‌’ ଏବଂ ଅନ୍ୟାନ୍ୟ କାଗଜପତ୍ରଗୁଡ଼ିକୁ ବ୍ୟକ୍ତିଗତଭାବେ ଅଧିକାରୀମାନେ ବିମାନର କ୍ୟାବିନ୍‌ରେ ନେଇ ଯାଆନ୍ତି। ମୁହୂର୍ତ୍ତକ ପାଇଁ ବି ଉକ୍ତ ଅଧିକାରୀମାନେ ସେଗୁଡ଼ିକ ଉପରୁ ନଜର ହଟାନ୍ତି ନାହିଁ।

ad-week
Leave A Reply

Your email address will not be published.