ଏଣିକି ସଂସଦ ଭିତରେ ଧାରଣା, ଉପବାସ ମନା  

add-all

ନୂଆଦିଲ୍ଲୀ: ସଂସଦକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦୀୟ ନିୟମ ଆସୁଛି। ନୂଆ ନିୟମ ଅନୁଯାୟୀ ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା ହୋଇଛି। ଏନେଇ ରାଜ୍ୟସଭା ସାଧାରଣ ସଚିବ ପିସି ମୋଡି ଏକ ବିଜ୍ଞପ୍ତି ଜାରି କରିନ୍ତି ।ମୁଖ୍ୟତଃ ସଂସଦ ଭିତରେ କୌଣସି ଆନ୍ଦୋଳନ, ଧାରଣା, ଷ୍ଟ୍ରାଇକ୍ , ଉପବାସ ମନା କରାଯାଇଛି। ଏମିତିକି କୌଣସି ଧର୍ମୀୟ ଉତ୍ସବ ଆଳରେ ଏସବୁ କରିବାକୁ ମନା କରାଯାଇଛି । ଏହି ମର୍ମରେ ଗୃହ ସଦସ୍ୟମାନଙ୍କୁ ସହଯୋଗ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ କଡ଼ା ସମାଲୋଚନା କରିଛନ୍ତି । ଦିନକ ପୂର୍ବରୁ ସଂସଦରେ କେତେକ ଶବ୍ଦକୁ ବାରଣ ନେଇ ଛଡ଼ ସୃଷ୍ଟି ହୋଇଛି। ଏବେ ପୁଣି ଏକ ନୂଆ ବିବାଦ ଚର୍ଚ୍ଚା ସୃଷ୍ଟି କରିଛି।
ଲୋକସଭା ସଚିବାଳୟ ଦ୍ୱାରା ଜାରି ଏକ ପୁସ୍ତିକାରେ ଅନ୍ୟୂନ ୪୦ଟି ଶବ୍ଦକୁ ଅନପାର୍ଲାମେଣ୍ଟାରୀ ଭାବେ ଚିହ୍ନିତ କରାଯାଇଛି। ଯଦି କେହି ସଂସଦୀୟ କାର୍ଯ୍ୟଧାରାରେ ଏହି ଶବ୍ଦକୁ ବ୍ୟବହାର କରେ ତେବେ ତାହାକୁ ରେକର୍ଡରୁ କାଟିଦିଆଯିବ। ସାଧାରଣଭାବେ ବ୍ୟବହୃତ ଆସେମ୍‌ଡ (ଲଜ୍ଜିତ), ଆବ୍ୟୁଜ୍‌ଡ (ଦୁର୍ବ୍ୟବହାର), ବିଟ୍ରେଡ୍‌ (ପ୍ରତାରିତ), କରପ୍ଟ (ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ), ଡ୍ରାମା (ନାଟକବାଜି), ହିପୋକ୍ରିସି (କପଟତା) ଏବଂ ଇନ୍‌କମ୍ପିଟେଣ୍ଟ (ଅଯୋଗ୍ୟ, ଅପାରଗ) ପରି ଶବ୍ଦକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି ଉକ୍ତ ପୁସ୍ତିକାରେ ଦର୍ଶାଯାଇଛି।
ଜୁଲାଇ ୧୮ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ର ଅବ୍ୟବହିତ ପୂର୍ବରୁ ଲୋକସଭା ସଚିବାଳୟ ପକ୍ଷରୁ ଏହି ପୁସ୍ତିକା ପ୍ରକାଶ କରାଯାଇଛି। ଲୋକସଭା ଓ ରାଜ୍ୟସଭାରେ ଯିଏ ଅଧ୍ୟକ୍ଷତା କରୁଥିବେ ସେ ଯେଉଁ ଶବ୍ଦକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି କହିବେ ତାହା ହେଉଛି ଅନ୍‌ପାର୍ଲାମେଣ୍ଟାରୀ ଏବଂ ତାହା ଆଉ ପାର୍ଲାମେଣ୍ଟ ରେକର୍ଡରେ ସ୍ଥାନ ପାଇପାରିବ ନାହିଁ। ଅର୍ଥାତ୍ କେଉଁ ଶବ୍ଦ ଅସଂସଦୀୟ ଭାବେ ବିବେଚିତ ହେବ, ସେ ନେଇ ବାଚସ୍ପତିଙ୍କ ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ। ବିଭିନ୍ନ ଶବ୍ଦକୁ ସମୟାନ୍ତରରେ ଅସଂସଦୀୟ ବୋଲି ଘୋଷଣା କରାଯାଏ। ୨୦୨୧ରେ ଯେଉଁ ଶବ୍ଦଗୁଡ଼ିକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି ଘୋଷଣା କରାଯାଇଥିଲା ସେଗୁଡ଼ିକ ମଧ୍ୟ ଉକ୍ତ ପୁସ୍ତିକାରେ ଉଲ୍ଲେଖ କରାଯାଇଛି। ୨୦୨୦ରେ ରାଜ୍ୟଗୋଷ୍ଠୀର କେଉଁସବୁ ଦେଶରେ କେଉଁ ଶବ୍ଦ ଉଚ୍ଚାରଣ କରିବାକୁ ଅନୁମତି ନାହିଁ ତାହା ମଧ୍ୟ ଏଥିରେ ସୂଚାଇ ଦିଆଯାଇଛି।

ad-week
Leave A Reply

Your email address will not be published.