୬ଷ୍ଠଥର ପାଇଁ ବୋଲବମ ଯାତ୍ରାରେ ଯାଉଛନ୍ତି ଏହି ମୁସଲିମ ବ୍ୟକ୍ତି

add-all

ଶାମଲି: ଦେଶରେ ହିନ୍ଦୁ ଓ ମୁସଲିମ ଧର୍ମକୁ ନେଇ ଅନେକ ବିତର୍କ ହେଉଛି। କିଛି ରାଜନେତା ଓ ତଥାକଥିତ ଧର୍ମ ପ୍ରଚାରକମାନେ ହିନ୍ଦୁ-ମୁସଲିମର ବିତର୍କ କରି ଦେଶର ଭାଇଚାରା ଉପରେ ଅନେକ ସମୟରେ ପ୍ରଶ୍ନ ଉଠାଉଛନ୍ତି। କିଛି ଲୋକ ହିନ୍ଦୁ ଶ୍ରେଷ୍ଠ ଧର୍ମ କହୁଥିବା ବେଳେ ଆଉ କିଛି ଇସଲାମ ସର୍ବଶ୍ରେଷ୍ଠ ବୋଲି ମତ ରଖୁଛନ୍ତି।
ହେଲେ ଏମିତି କିଛି ଲୋକ ଦେଶରେ ଅଛନ୍ତି, ଯେଉଁମାନେ ନିଜର ଧର୍ମ ଅପେକ୍ଷା ଈଶ୍ୱର ଏକ ବୋଲି କହି ଆସୁଛନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ ୪୨ ବର୍ଷୀୟ ୱାକିଲ ମଲିକ। ତାଙ୍କ ଘର ଉତ୍ତର ପ୍ରଦେଶର ଶାମିଲ ଅନ୍ତର୍ଗତ ବୈଶଂୱାଲ ଗାଁରେ। ସେ ମୁସଲିମ ଧର୍ମର ଲୋକ ହୋଇଥିଲେ ମଧ୍ୟ ଚଳିତ ବର୍ଷ ବୋଲବମ ଯାତ୍ରାରେ ସାମିଲ ହେବେ। ଏହାପୂର୍ବରୁ ମଧ୍ୟ ସେ ୫ଥର ବୋଲବମ ଯାତ୍ରାରେ ଯାଇ ପ୍ରଭୁ ମହାଦେବଙ୍କ ଉଦ୍ଦେଶ୍ୟରେ ପାଣି ଉଠାଇଛନ୍ତି। ଏଥିସହ ଦୀର୍ଘ କିମି ରାସ୍ତା ଚାଲି ଚାଲି ଅନ୍ୟ ହିନ୍ଦୁ ଧର୍ମର କାଉଁଡିଆଙ୍କ ଭଳି ନିଜର ବୋଲବମ ଯାତ୍ରା ମଧ୍ୟ ଶେଷ କରିଛନ୍ତି।
ଚଳିତ ବର୍ଷ ୱାକିଲ ମଲିକ ହରିଦ୍ୱାରରୁ ପବିତ୍ର ପାଣି ଉଠାଇବେ। ସେ କହିଛନ୍ତି, “ବୋଲ ବମ ଯାତ୍ରା ପାଇଁ ମୁଁ ସ୍ଥାନୀୟ ପ୍ରଶାସନର ଅନୁମତି ନେଇଛି। ବର୍ତ୍ତମାନ ସ୍ଥିତି ଯାହା ମୁଁ ବିରୋଧର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏଥିପାଇଁ ମୁଁ ପ୍ରଶାସନର ଅନୁମତି ଆଣିଛି। ମୁଁ ସମାନ ଭାବେ ଇସଲାମକୁ ମଧ୍ୟ ସମ୍ମାନ ଜଣାଏ।
ନିୟମିତ ଜମାତରେ ସାମିଲ ହୋଇଥାଏ। ଈଶ୍ୱର ଏକ। ଆମେ ହିଁ କେବଳ ବିଭିନ୍ନ ଧର୍ମ ତିଆରି କରିଛୁ। ଏହାକୁ ପ୍ରମାଣ କରିବା ପାଇଁ ମୁଁ ବୋଲବମ ଯାତ୍ରାରେ ସାମିଲ ହେଉଛି। ଯଦି ମୁଁ ଦେଉଥିବା ବାର୍ତ୍ତା ଜଣଙ୍କ ପାଖରେ ବି ପହଞ୍ଚି ପାରିବ, ତା’ହେଲେ ମୁଁ ଧନ୍ୟ ହୋଇଯିବି।”
ୱାକିଲ ମଲିକ ଏହି ଯାତ୍ରାରେ ୫ଥର ସାମିଲ ହୋଇ ସାରିଛନ୍ତି। ନିଜର ପ୍ରତିଜ୍ଞା ମୁତାବକ ସମ୍ଭବତଃ ସେ ଶେଷଥର ପାଇଁ ଚଳିତ ବର୍ଷ ବୋଲ ବମ ଯାତ୍ରାରେ ସାମିଲ ହେବେ। ପ୍ରତିବର୍ଷ ସେ ପବିତ୍ର ଜଳକୁ ବାଗପଟରେ ଥିବା ପୂରା ମହାଦେବ ମନ୍ଦିରରେ ଅର୍ପଣ କରନ୍ତି। ତେବେ ଚଳିତ ବର୍ଷ ପ୍ରଥମଥର ପାଇଁ ସେ ବୋଲବମ ଯାତ୍ରାରେ ସାମିଲ ହେବା ପୂର୍ବରୁ ଶାମିଲ ଜିଲ୍ଲା ମୁଖ୍ୟାଳୟ ଓ ଗାଦିପୁଖତା ପୁଲିସ ଷ୍ଟେସନର ଅନୁମତି ଲୋଡ଼ିଛନ୍ତି।
ସେ କହିଛନ୍ତି, “ପ୍ରାଥମିକ ଅବସ୍ଥାରେ ମୋର ବୋଲ ବମ ଯାତ୍ରାକୁ କିଛି ଲୋକ ବିରୋଧ କରୁଥିଲେ। ଏପରି କି ମୋ ପରିବାର ଲୋକ ଏହାକୁ ଗ୍ରହଣ କରୁ ନଥିଲେ। ଲୋକେ କହୁଥିଲେ ଯେ ମୁଁ ମୋ ଧର୍ମ ସହ ଧୋକା କରିଛି। କିନ୍ତୁ ସମୟ ବିତିବା ସହ ସେମାନେ ମୋ ଉଦ୍ଦେଶ୍ୟକୁ ବୁଝି ପାରିଛନ୍ତି। ଏବେ ସେମାନେ ମୋତେ ସମର୍ଥନ ମଧ୍ୟ କରୁଛନ୍ତି।”
ଅନୁମତି ଲୋଡ଼ିବା ସମ୍ପର୍କରେ ଏସ୍‌ଏଚ୍‌ଓ କମରବୀର ସିଂହ କହିଛନ୍ତି, “ଗୁରୁବାର ଦିନ ୧୧ଟା ବେଳେ ଜଣେ ମୁସଲିମ ବ୍ୟକ୍ତି ଥାନାକୁ ଆସିଥିଲେ। ସେ ହରିଦ୍ୱାରରୁ ପବିତ୍ର ଜଳ ଆଣିବା ବେଳେ ଯେମିତି କୌଣସି ବିରୋଧର ସମ୍ମୁଖୀନ ନ ହେବେ, ତା’ର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ତାଙ୍କ ବିଷୟରେ କେହି ବି କିଛି ଅଭିଯୋଗ କରି ନାହାନ୍ତି। ପ୍ରତିଟି ଲୋକର ଚିନ୍ତାଧାରା ଅଲଗା ଓ ଏହାକୁ ଆମେ ସମ୍ମାନ କରୁ।”

ad-week
Leave A Reply

Your email address will not be published.