୧୪ ଜିଲ୍ଲାରେ ପ୍ରବଳ ବର୍ଷା; ୟେଲୋଓ୍ଵାର୍ଣ୍ଣିଂ ଜାରି

add-all

ଭୁବନେଶ୍ୱର: ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଜାମସେଦପୁର, ଦିଘା ଉପରେ ଦକ୍ଷିଣ ପୂର୍ବ ଦିଗଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ଗତି କରୁଛି। ଏବଂ ଏହା ସମୁଦ୍ର ପତନଠାରୁ ୧.୫ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି। ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ଏବଂ ପଡ଼ୋଶୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି ଏବଂ ସମୁଦ୍ର ପତନଠାରୁ ୩.୧ କିଲୋମିଟର ଉଚ୍ଚତାରେ ଦକ୍ଷିଣ ଦିଗକୁ ଅଗ୍ରସର ହେଉଛି।

ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ଏବଂ ଉପକୂଳ ଓଡିଶାର ଜିଲ୍ଲାଗୁଡିକର ଅନେକ ସ୍ଥାନରେ ବର୍ଷାସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଜୁଲାଇ ୨୬ ତାରିଖ, ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କଟକ, ଢ଼େଙ୍କାନାଳ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ୧୪ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେହିପରି ଏହି ସମୟ ମଧ୍ୟରେ ଉତ୍ତର ଓଡିଶାର ଜିଲ୍ଲା ଏବଂ ଦକ୍ଷିଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଜାରି ସତର୍କ ସୂଚନାରେ କୁହାଯାଇଛି।

ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବା ସହ ମଧ୍ୟାହ୍ନ ପରଠାରୁ ବିଳମ୍ବିତ ରାତି ମଧ୍ୟରେ ଭୁବନେଶ୍ୱରର କିଛି ସ୍ଥାନରେ ଅସରାଏ ଦୁଇଅସରା ବଜ୍ରପାତ ସହ ହାଲୁକା ବର୍ଷା ଓ କଟକର କିଛି ସ୍ଥାନରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ।

ad-week
Leave A Reply

Your email address will not be published.