ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ: ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଓ ଏମସିଏରେ ଇଶାନ୍ତ କୁମାର ନାୟକ ଓଡ଼ିଶା ଟପ୍ପର

add-all

ଭୁବନେଶ୍ବର: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳାଫଳ। ଓଜେଇଇ ପରୀକ୍ଷା ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ଚଳିତ ବର୍ଷ ଓଜେଇଇ ପରୀକ୍ଷାରେ ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବାବେଳେ ଏମସିଏରେ ଇଶାନ୍ତ କୁମାର ନାୟକ ଓଡ଼ିଶା ଟପ୍ପର ହୋଇଛନ୍ତି। ଛାତ୍ରଛାତ୍ରୀମାନେ www.ojee.nic.in ୱେବସାଇଟକୁ ଯାଇ ଓଜେଇଇ ପରୀକ୍ଷା ଫଳାଫଳ ଦେଖିପାରିବେ।

ଓଜେଇଇ ପରୀକ୍ଷାରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଏମବିଏ ଟପ୍ପର ଏବଂ ଏମସିଏରେ ଇଶାନ୍ତ କୁମାର ନାୟକ ଓଡ଼ିଶା ଟପ୍ପର ହୋଇଛନ୍ତି। ଏହା ସହିତ ବି. ଫାର୍ମାରେ ଅରୂପ କୁମାର ପଣ୍ଡା, ଏମ. ଫାର୍ମାରେ ସଚିନ ନାୟକ, ଏମ ଟେକ ସିଭିଲ ଇଞ୍ଜିନିୟରିଂରେ ସଞ୍ଜୀବ ପ୍ରଧାନ, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ମିଥୁନ୍ ଅଧିକାରୀ, କମ୍ପ୍ୟୁଟର ଇଞ୍ଜିନିୟରିଂ ଓ ଆଇଟିରେ ଏସ୍. ସଞ୍ଜୀବ କୁମାର, ଇଲେକଟ୍ରୋନିକ୍ସରେ ପଙ୍କଜ କୁମାର, କେମିକାଲ ଇଞ୍ଜିନିୟରିଂରେ ହରିୟାଲି ବେହେରା, ବାୟୋ ଟେକ୍ନୋଲୋଜିରେ ଶୁଭଶ୍ରୀ ହୋତା ଓ ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ଜ୍ୟୋତି ପ୍ରକାଶ ନାୟକ ଓଡ଼ିଶା ଟପ୍ପର ହୋଇଥିବା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ସୂଚନା ଦେଇଛନ୍ତି।

ଜୁଲାଇ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୩୦ଟି ଜିଲ୍ଲା ଏବଂ ରାଜ୍ୟ ବାହାରେ ୩ଟି ସହର କୋଲକାତା, ପାଟଣା ଏବଂ ରାଞ୍ଚିରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ୪୭, ୭୬୧ ଜଣ ପରୀକ୍ଷା ଦେଇଥିଲେ। ତେବେ ୪୭, ୭୨୯ ଜଣଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ କାର୍ଡ ମିଳିଛି। ପରୀକ୍ଷାର୍ଥୀମାନେ ନିଜର ପ୍ରଦର୍ଶନ ଅନୁଯାୟୀ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନର ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ବୋଲି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି।

ଚଳିତ ଓଜେଇଇ ପରୀକ୍ଷାରେ ଯେଉଁମାନେ ସଫଳ ହୋଇନାହାଁନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ଓଜେଇଇ ବ୍ୟବସ୍ଥା ରହିଛି। ଆସନ୍ତା ଅଗଷ୍ଟ ୧ ତାରିଖରୁ ଏଥିନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.