ମାଗଣା ଯୋଜନା ଉପରେ ଲାଗିବ ରୋକ : ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

add-all

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାବଡି ପ୍ରଥା ବା ମାଗଣା ଯୋଜନା ଉପରେ ଲାଗିବ ରୋକ୍‌। ଏହି ପ୍ରଥାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ନିର୍ବାଚନ ଆସିଲେ ସବୁ ନେତା ମନ୍ତ୍ରୀ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ପୁଳା ପୁଳା ମାଗଣା ପ୍ରତିଶ୍ରୁତି ଦିଅନ୍ତି। ଏହାକୁ ସାଧାରଣ ଭାଷାରେ ‘ରାବଡି ପ୍ରଥା’ କୁହାଯାଏ। ତେବେ ଏହି ପ୍ରଥାକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ଓ ଏହା ଉପରେ କିଭଳି ରୋକ୍‌ ଲଗାଯାଇପାରିବ ସେ ନେଇ କେନ୍ଦ୍ର ସରକାରଙ୍କଠୁ ପରାମର୍ଶ ଲୋଡିଛନ୍ତି ସର୍ବୋଚ୍ଚ ଅଦାଲତ।
ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ନିର୍ବାଚନ କମିଶନ ଓ ସରକାର ଏଥିରୁ ହାତ ଝାଡି ପାରିବେ ନାହିଁ। ସେମାନେ କିଛି କରିପାରିବେ ନାହିଁ ବୋଲି ମଧ୍ୟ କହିପାରିବେ ନାହିଁ। ସରକାର ଓ ନିର୍ବାଚନ ଆୟୋଗ ମିଶି ଏହି ମାଗଣା ଯୋଜନା ଉପରେ ରୋକ ଲଗାଇବା ପାଇଁ ବିଚାର କରନ୍ତୁ। ଏଥିପାଇଁ ଏକ କମିଟି ଗଠନ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଏହି କମିଟିରେ ନୀତି ଆୟୋଗ, ଅର୍ଥ କମିଶନ୍‌, ଶାସକ ଓ ବିରୋଧୀ ଦଳ, ରିଜର୍ଭ ବ୍ୟାଙ୍କ୍‌ ଏବଂ ନିର୍ବାଚନରେ ସାମିଲ ହେଉଥିବା ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକର ସଦସ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ବିଭିନ୍ନ ସାମଗ୍ରୀ ମାଗଣାରେ ଦେବେ ବୋଲି ଦେଉଥିବା ପ୍ରତିଶ୍ରୁତିକୁ ବିରୋଧ କରି ଆବେଦନ ହୋଇଥିବା ପିଟିସନ୍‌ର ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନ୍ନାଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ମାଗଣା ସାମଗ୍ରୀ ଯୋଗାଣ ଅର୍ଥନୀତି ଉପରେ ପ୍ରଭାବ ପକାଉଥିବାରୁ ଉକ୍ତ କମିଟି ଏହାର ସପକ୍ଷ ଓ ବିପକ୍ଷରେ ମତ ଉପସ୍ଥାପନ କରିବା ଆବଶ୍ୟକ। ମାଗଣାak ସାମଗ୍ରୀ ବଣ୍ଟନକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ତାହା ପ୍ରସ୍ତାବିତ କମିଟି ପରୀକ୍ଷାନିରୀକ୍ଷା କରି କେନ୍ଦ୍ର ସରକାର, ନିର୍ବାଚନ କମିଶନ ଏବଂ ସୁପ୍ରିମ୍‌ କୋର୍ଟଙ୍କୁ ରିପୋର୍ଟ ଦେବେ।
ବିଶେଷଜ୍ଞ କମିଟି ଗଠନ ସଂକ୍ରାନ୍ତରେ ୭ ଦିନ ମଧ୍ୟରେ ପ୍ରସ୍ତାବ ଦାଖଲ କରିବା ଲାଗି କେନ୍ଦ୍ର ସରକାର, ନିର୍ବାଚନ କମିଶନ ଏବଂ ଆବେଦନକାରୀ ଓକିଲଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ନିର୍ବାଚନ କମିଶନଙ୍କ ନିଷ୍କ୍ରିୟତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ଏହି ମାଗଣା ଯୋଜନା ସିଧାସଳଖ ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଏହାର ଉତ୍ତରରେ ନିର୍ବାଚନ କମିଶନ କୋର୍ଟଙ୍କୁ ଦୋଷ ଦେଇଛନ୍ତି। ମାଗଣା ଯୋଜନାରେ କୋର୍ଟ ଦେଇଥିବା ରାୟ ଯୋଗୁ ଆମ ହାତ ବନ୍ଧା ହୋଇ ରହିଛି। ଏକଥା ଶୁଣି ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, ‘ଯଦି ଦରକାର ପଡେ ଆମେ ରାୟରେ ପରିବର୍ତ୍ତନ କରିବାକୁ ରାଜି।’ ଆସନ୍ତା ଅଗଷ୍ଟ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ad-week
Leave A Reply

Your email address will not be published.