ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିରେ ଭାରତୀୟ ମହିଳା ହକି ଦଳ

add-all

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମି ଫାଇନାଲରେ ପହଞ୍ଚି ଯାଇଛି ଭାରତୀୟ ମହିଳା ଦଳ। ମଙ୍ଗଳବାର ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିବା ସବିତା ପୁନିଆଙ୍କ ଭାରତୀୟ ଟିମ ଆଜି ଜବରଦସ୍ତ ପ୍ରଦର୍ଶନ କରିଛି। ଆଜି ଦଳ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଛି।
ଭାରତ ଗ୍ରୁପ ଏରେ ଦ୍ୱିତୀୟ ସ୍ଥାନରେ ରହି ଟପ୍ ୪ରେ ପହଞ୍ଚିଛି। କାନାଡାକୁ ସେମିକୁ ଯିବା ପାଇଁ ଭାରତ ବିପକ୍ଷ ମ୍ୟାଚ୍‌ କେବଳ ଡ୍ର କରିବାର ଥିଲା। ହେଲେ ଭାରତ ଦଳର ସବୁ ଯୋଜନାରେ ପାଣି ପକାଇ ଦେଇଛି। ମ୍ୟାଚ୍‌ ସରିବାକୁ ୯ ମିନିଟ୍‌ ବାକି ଥିବା ବେଳେ ଲାଲରେସିଆମି କରିଥିବା ଗୋଲ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ଭାରତ ପେନାଲ୍ଟି କର୍ଣ୍ଣରରେ ବିଫଳ ହେବା ପରେ ହିଁ ସିଆମି କାନାଡା ଗୋଲ କିପରଙ୍କୁ ଚକମା ଦେଇ ସ୍କୋର କରିଥିଲେ।
ଆଜିର ନିଶ୍ଚିତ ବିଜୟ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଦମଦାର ଆରମ୍ଭ କରିଥିଲା। ମ୍ୟାଚର ତୃତୀୟ ମିନିଟରେ ସଲିମା ଟିଟେ ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ। ସେହିପରି ୨୨ତମ ମିନିଟରେ ନବନୀତ କୌର ଟିମ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରି ସ୍ଥିତିକୁ ୨-୦ କରି ଦେଇଥିଲେ।
ଏହାପରେ ମଧ୍ୟ ଦଳକୁ ଏକାଧିକ ଗୋଲ ସ୍କୋର କରିବାର ସୁଯୋଗ ମିଳିଥିଲା। ହେଲେ ଏହାର ଫାଇଦା ଦଳର ଖେଳାଳିମାନେ ଉଠାଇ ପାରି ନଥିଲେ। ମ୍ୟାଚ୍‌ର ୨୩ତମ ମିନିଟରେ କାନାଡାର ବି ଷ୍ଟାର୍ସ ଗୋଲ ସ୍କୋର କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ତୃତୀୟ କ୍ୱାର୍ଟରରେ କାନାଡାର ହାନା ହାଉଗନ ଭାରତୀୟ ଗୋଲ କିପର ସବିତା ପୁନିଆଙ୍କୁ ବାମ ପାର୍ଶ୍ୱରେ ମାତ ଦେଇ ଆଉ ଏକ ଗୋଲ କରିଥିଲେ। ଫଳରେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୨-୨ରେ ବରାବର ହୋଇ ଯାଇଥିଲ। ତୃତୀୟ କ୍ୱାର୍ଟରେ ଲିଡ୍‌ ନେବା ପାଇଁ ଭାରତକୁ ଏକାଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ ଏହାର ଫାଇଦା ଦଳ ଉଠାଇ ପାରି ନଥିଲା।
୪ର୍ଥ କ୍ୱାର୍ଟରରେ ଭାରତୀୟ ଖେଳାଳି ରଣନୀତି ବଦଳାଇଥିଲେ। ସେମାନେ ଘନଘନ ଆକ୍ରମଣ କରିବାରୁ ୫୧ତମ ମିନିଟରେ ଏହାର ଫାଇଦା ଦଳକୁ ମିଳିଥିଲା। ଏହି ସମୟରେ ମିଳିଥିବା ପେନେଲ୍ଟି କର୍ଣ୍ଣରକୁ ଶେଷ ସ୍ପର୍ଶ ଦେଇ ସିଆମି ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। କାନାଡା ଏହାକୁ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଫାଇଦା ମିଳି ନଥିଲେ। ଶେଷରେ ଭାରତୀୟ ମହିଳା ଦଳ ୩-୨ରେ ମ୍ୟାଚ୍ ଜିତି ଗ୍ରୁପ ଏରୁ ଦ୍ୱିତୀୟ ଦଳ ଭାବେ ସେମିକୁ ଯାଇଛି।

ad-week
Leave A Reply

Your email address will not be published.