ଚୀନ୍ ଯୁଦ୍ଧ ପାଇଁ ଉସୁକାଉଛି: ତାଇୱାନ

add-all

ତାଇପେଇ: ତାଇୱାନ ସେନା ପକ୍ଷରୁ କୁହାଯାଇଛି ଯେ ଚୀନ୍ ତାଇୱାନ ପ୍ରଣାଳୀରେ ନିଜର ଯୁଦ୍ଧଜାହାଜ ଓ ଯୁଦ୍ଧବିମାନ ତୁହାକୁ ତୁହା ଉଡ଼ାଇ ଆତଙ୍କ ସୃଷ୍ଟି କରୁଛି। ଏହା ଯୁଦ୍ଧ ପାଇଁ ଉତ୍ତେଜିତ କରିବାର ସ୍ପଷ୍ଟ ସୂଚନା ବୋଲି ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ, ଚୀନ୍‌ର ଅନେକ ଯୁଦ୍ଧ ବିମାନ ଓ ଜାହାଜ ତାଇୱାନ ପ୍ରଣାଳୀରେ ମେଡିଆନ ଲାଇନ୍ ଅତିକ୍ରମ କରିବା ଦେଖାଯାଉଛି। ସେମାନେ ତାଇୱାନର ମୁଖ୍ୟ ଭୂଖଣ୍ଡ ଉପରେ ଆକ୍ରମଣ କରିବାକୁ ମସୁଧା କରୁଥିବା ଅନୁମାନ କରାଯାଉଛି। ଏ ପରିସ୍ଥିତି‌ରେ ତାଇୱାନ ନିଜ ସେନାକୁ ପ୍ରସ୍ତୁତ ରଖିବା, ନୌଭେଳାଗୁଡ଼ିକ ଦ୍ବାରା ପାଟ୍ରୋଲିଂ କରିବା ଏବଂ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ସଜାଗ ରଖିବା ପାଇଁ ବାଧ୍ୟ ହୋଇଛି। ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ଗସ୍ତ ପରେ ଚୀନ୍ ତାଇୱାନ ସହ ବ୍ୟବସାୟିକ କାରବାର ମଧ୍ୟ ବନ୍ଦ କରିଦେଇଛି। ଏହା ପେଲୋସିଙ୍କ ଉପରେ କଟକଣା ଲଗାଇବା ସହ ଆମେରିକା ସହିତ ପ୍ରତିରକ୍ଷା, ଜଳବାୟୁ ପରିବର୍ତ୍ତନ ଆଦି ଉପରେ କଥାବାର୍ତ୍ତାକୁ ବି ବାତିଲ କରିଦେଇଛି। ଚୀନ୍ ଏପର୍ଯ୍ୟନ୍ତ ତାଇୱାନ ନିକଟ ନିଷିଦ୍ଧ ଜଳଭାଗ ଉପରେ ୭ଟି ଡ୍ରୋନ୍ ଓ ୪୯ଟି ବିମାନ ଉଡ଼ାଇଥିବା ତାଇୱାନ ଦାବି କରିଛି। ତାଇୱାନ ପ୍ରଣାଳୀର ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଚୀନ୍ ଚାହୁଛି ବୋଲି ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.