ସାକ୍ଷୀଗୋପାଳ ଶାଖା କେନାଲ ଘାଇ ଗ୍ରାମବାସୀଙ୍କ ଦ୍ୱାରା ମରାମତି

add-all

ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ଜଳ ସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ଅନ୍ତର୍ଗତ ସାକ୍ଷୀଗୋପାଳ ଶାଖା କେନାଲର ବାମ ପାର୍ଶ୍ୱ ବନ୍ଧର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭାଲୁ ବଜାର ନିକଟରେ ଶନିବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ପ୍ରାୟ ୧୨ ଫୁଟ ଲମ୍ବର ଏକ ଘାଇ ହୋଇଯାଇଥିଲା। ପ୍ରଫୁଲ୍ଲ ସ୍ୱାଇଁ, ସୁକାନ୍ତ ପ୍ରଧାନ, ବୁଲୁ ସିଂ, ଶଙ୍କର ବେହେରା, ପଦିଆ ବେହେରା, ଅଜୟ ଭୋଇ ଓ ଅଶୋକ ଜେନା ପ୍ରମୁଖଙ୍କ ସମେତ ଗ୍ରାମବାସୀମାନଙ୍କ ଉଦ୍ୟମ ଫଳରେ ଦୀର୍ଘ ୩୦ ଘଣ୍ଟା ପରେ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଘାଇ ମରାମତି ହୋଇଛି।

ଏହି ଘାଇ ଫଳରେ ସାରଙ୍ଗଯୋଡି ପଞ୍ଚାୟତର ରାୟ ଚକ୍ରଧରପୁର, ହାଟ ସାହି, ମୁଦୁଲି ସାହି ଓ ଖୁଣ୍ଟିଆ ହରିଜନ ସାହି ଏବଂ ବିଶ୍ୱନାଥପୁର ପଞ୍ଚାୟତର ଛମାଣ ସାହି, ବାଲି ସାହି ପାଟଣା ଓ ଠାକୁର ମା’ ପାଟଣା ଗ୍ରାମର ଗହୀରରେ ପାଣି ପଶିଯାଇଛି। ପ୍ରାୟ ଏକ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ପ୍ରାୟ ୫ ଫୁଟ ଉଚ୍ଚତାରେ ଧାନ ବିଲରେ କେନାଲ ପାଣି ଲହଡି ମାରୁଛି।

ସାରଙ୍ଗଯୋଡି ନାଳ ଦେଇ ଏହି କେନାଲ ପାଣି ଗଙ୍ଗା ନାରାୟଣପୁର କଟ ଦେଇ ଭାର୍ଗବୀ ନଦୀକୁ ନିଷ୍କାସନ ହେବ। ମାତ୍ର ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ନଦୀରେ ଜଳ ପତ୍ତନ ଅଧିକ ଉଚ୍ଚତାରେ ରହିଛି। ଫଳରେ ଜଳ ନିଷ୍କାସନ ବିଳମ୍ବ ହୋଇପାରେ। ଜଳ ନିଷ୍କାସନରେ ବିଳମ୍ବ ହେଲେ ଧାନ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଧାନ ବିଲରେ ରହିଥିବା ଏହି ଉଦବୃତ୍ତ ଜଳ ନିଷ୍କାସନ କରିବା ନିମନ୍ତେ ସାରଙ୍ଗଯୋଡି ପଞ୍ଚାୟତ ସରପଞ୍ଚ ଜ୍ୟୋତିର୍ମୟୀ ରଥ ଓ କୃଷକମାନେ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.