ନିଶା ନିବାରଣ କେନ୍ଦ୍ରରେ ଭିନ୍ନକ୍ଷମ ଯୁବକଙ୍କୁ ନିର୍ଘାତ ପିଟିଲେ, ପାଦ ଚଟାଇଲେ

add-all

ବାରିପଦା: ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ତାଲିବାନୀ ନିର୍ଯାତନାର ନଗ୍ନ ଚିତ୍ର। ଏକ ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବେ ଲୁହା ପାଇପରେ ପିଟୁଛନ୍ତି କେନ୍ଦ୍ରର ମାଲିକ ତଥା ତାଙ୍କ ସହଯୋଗୀ। କେବଳ ସେତିକି ନୁହେଁ ତାଙ୍କୁ ପାଦ ଚାଟିବାକୁ ବାଧ୍ୟ କରାଯାଉଛି। ବାରିପଦାର ତୁଳସୀ ଚଉରା ସାହିରେ ଥିବା ନିଶା ନିବାରଣ କେନ୍ଦ୍ରର ଏହି ଭିଡିଓ।

ଏହା ପ୍ରାୟ ଦେଢ ବର୍ଷେ ତଳର ଭିଡିଓ ହୋଇଥିବା ବେଳେ ଏବେ ଭାଇରାଲ ହେବାରେ ଲାଗିଛି। ଏପରି ଲୋମଟାଙ୍କୁରା ଭିଡିଓରେ ମାନବାଧିକାରକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଦେଖିବାକୁ ମିଳୁଥିବା ବେଳେ ଏହାକୁ କିନ୍ତୁ ସ୍ୱୀକାର କରିବାକୁ ରାଜି ନୁହନ୍ତି ନିଶା ନିବାରଣ କେନ୍ଦ୍ରର ମାଲିକ ଅବନି ପତି। ଏପରିକି ସେ ଯାହା କରିଛନ୍ତି, ତାହା ସମ୍ପୂର୍ଣ୍ଣ ଠିକ୍‌ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି, ନିଶା ନିବାରଣ କେନ୍ଦ୍ରର ଏକ କୋଠରୀରେ ବହୁ ଅନ୍ତେବାସୀ ଛିଡ଼ା ହୋଇଥିବା ବେଳେ ମଝିରେ ବସିଛନ୍ତି ଜଣେ ଭିନ୍ନକ୍ଷମ ଯୁବକ। ତାଙ୍କ ନିକଟରେ ଛିଡ଼ା ହୋଇଛନ୍ତି କେନ୍ଦ୍ରର ମାଲିକ ଅବନୀ ପତି ଏବଂ ତାଙ୍କର ଜଣେ ସହଯୋଗୀ। ଅବନି ଏକ ପ୍ଲାଷ୍ଟିକ ପାଇପ୍‌ରେ ଉକ୍ତ ଯୁବକଙ୍କୁ ନିର୍ଧୂମ ପିଟୁଥିବା ବେଳେ ପାଖରେ ଛିଡ଼ା ହୋଇଥିବା ତାଙ୍କ ସହଯୋଗୀଙ୍କ ପାଦ ଚାଟିବାକୁ ବାଧ୍ୟ କରୁଛନ୍ତି। ଯୁବକ ଜଣକ ଏଥିପାଇଁ ରାଜି ନ ହେବାରୁ ପୁଣି ତାଙ୍କ ଉପରେ ବସୁଛି ନିର୍ଘାତ ମାଡ଼। ପ୍ରାଣ ବିକଳରେ ଭିନ୍ନକ୍ଷମ ଯୁବକ ଜଣକ ଅବନି ପତିଙ୍କ ସହଯୋଗୀଙ୍କ ପାଦ ଚାଟିବାକୁ ବାଧ୍ୟ ହେଉଛନ୍ତି। ଏହାଦେଖି ଅବନି ପତି ଖୁସିରେ ନାଚୁଥିବା ବେଳେ ସମ୍ପୃକ୍ତ ଭିନ୍ନକ୍ଷମ ଯୁବକଙ୍କୁ ଧମକାଇବାକୁ ପଛାଉ ନାହାନ୍ତି। ଏହାଦେଖି କୋଠରୀରେ ଥିବା ଅନ୍ୟ ଅନ୍ତେବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ନେଇ ପୁଲିସ୍‌ରେ କୌଣସି ଅଭିଯୋଗ ହୋଇ ନାହିଁ।

ଏବେ ଏହି କେନ୍ଦ୍ରର ଗୋଟିଏ ଭିଡିଓ ଭାଇରାଲ ହୋଇଥିବା ବେଳେ ସେଠାରେ ବାରମ୍ବାର ଅନ୍ତେବାସୀଙ୍କୁ ଏପରି ନିର୍ଯାତନା ଦିଆଯାଉଥିବା ଜଣାଯାଇଛି। ଏହି ନିଶା ନିବାରଣ କେନ୍ଦ୍ରରେ ପୂର୍ବରୁ ମଧ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଥର ଅନ୍ତେବାସୀମାନେ ଖସି ପଳାଇଥିବା ନଜର ରହିଛି।

ଅନ୍ତେବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ତଥା ନିଶାମୁକ୍ତ କରିବାକୁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରକୁ ପଠାଇ ଥାଆନ୍ତି। ହେଲେ ସେଠାରେ ବନ୍ଦ କୋଠରୀରେ ସେମାନଙ୍କ ଉପରେ ଅମାନୁଷିକ ନିର୍ଯାତନା ହେଉଥିବା ବେଳେ ବହୁ ସମୟରେ ମାଡ଼ ସହି ନ ପାରି ଅନ୍ତେବାସୀଙ୍କ ଅକାଳ ମୃତ୍ୟୁ ଘଟୁଥିବା ଜଣାଯାଇଛି। ଜଣେ ଭିନ୍ନକ୍ଷମ ଯୁବକ, ଯିଏକି ବାଟ ଚାଲିବାକୁ ସକ୍ଷମ ନୁହନ୍ତି, ତାଙ୍କୁ ବାଟକୁ ଆଣିବାକୁ ଏପରି ନିର୍ଯାତନା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ନିଜ ଅମାନୁଷିକ କାଣ୍ଡକୁ ଯଥାର୍ଥ ଓ ଠିକ୍‌ ବୋଲି ରୋକଠୋକ ଭାବେ କହିଛନ୍ତି ଅବନୀ ପତି। ଏନେଇ ସେ କହିଛନ୍ତି, ଉକ୍ତ ଯୁବକଜଣକ ବହୁ ଥର ଏହି କେନ୍ଦ୍ରକୁ ଆସିଛନ୍ତି। ଏକ ଦୁର୍ଘଟଣାରେ ସେ ନିଜ ଗୋଡ଼ ହରାଇଛନ୍ତି। ସେ ବାରମ୍ବାର ନିଶା ଖାଉଥିବାରୁ ତାଙ୍କୁ ସୁଧାରିବାକୁ ମୁଁ ଏପରି ଉପାୟ ଅବଲମ୍ବନ କରିଥିଲି। ପିଲାଙ୍କୁ ସାବାଡ଼ କରିବାକୁ ମୁଁ ଏପରି ଉପାୟ ଅବଲମ୍ବନ କରିଥାଏ। ଏଭଳି ବ୍ୟବହାର ପାଇଁ ବହୁ ଯୁବକ ଭଲ ବାଟକୁ ଫେରିପାରିଛନ୍ତି ବୋଲି କହିଛନ୍ତି ଅବନୀ। ଏଥିପାଇଁ ପ୍ରଶାସନ ଯେକୌଣସି ଦଣ୍ଡ ଦେଲେ ତାହାକୁ ଗ୍ରହଣ କରିବେ ବୋଲି ମଧ୍ୟ କହିଛନ୍ତି ଅବନୀ।

ତେବେ ଖୋଲାଖୋଲି ଭାବେ ଏପରି ଅମାନୁଷିକ ନିର୍ଯାତନା ଦେଇ ଅମାନବୀୟ କାଣ୍ଡ ଘଟାଉଥିବା ଯୁବକଙ୍କ ଉପରେ ପୁଲିସ୍‌ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ଆଖି।

ad-week
Leave A Reply

Your email address will not be published.