ଲଗାଣ ବର୍ଷାରେ ଭାଙ୍ଗିଲା ଘର: କାନ୍ଥ ପଡି ୨ ଗୁରୁତର

add-all

ସୋନପୁର: ସୋନପୁର ସହର ୨ ନମ୍ବର ଓ୍ବାର୍ଡର କଳିଙ୍ଗନଗରଠାରେ ଗୁରୁବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲଗାଣ ବର୍ଷାରେ ମାଟି କାନ୍ଥ ଓଦା ହୋଇ ପଡି ଯିବାରୁ ବାବୁଲି ଟୁଡୁ(୪୦)ଙ୍କ ଘର ଭାଙ୍ଗିଛି। ଏହି ସମୟରେ ଘରେ ଶୋଇଥିବା ବାବୁଲିଙ୍କ ସ୍ତ୍ରୀ ଶାନ୍ତି(୩୫) ଓ ବଡ ଝିଅ ମୌସୁମୀ(୧୩)ଙ୍କ ଉପରେ ମାଟି କାନ୍ଥ ପଡିଯିବାରୁ ସେମାନେ ଆହତ ହୋଇଛନ୍ତି।

ଶାନ୍ତିଙ୍କ ଡାହାଣ ଗୋଡ ଓ ମୌସୁମୀଙ୍କ ପଞ୍ଜରା ହାଡ ଭାଙ୍ଗିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ତେବେ ବାବୁଲି ଓ ସାନ ଝିଅ ସୁମିଙ୍କର କୌଣସି କ୍ଷତି ହୋଇନାହିଁ। ଡ୍ରେନ୍‌ ପାଣି ଘରେ ପଶିବାରୁ କୁଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡିଛି।

ଏହି ଘରେ ବାବୁଲିଙ୍କ ପରିବାରର ୫ ଜଣ ରହୁଥିଲେ। ସେମାନେ ଏବେ ବେସାହାରା ହୋଇ ପଡିଛନ୍ତି। ତେବେ ଏହି ପରିବାର ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ମଞ୍ଜୁର ହୋଇଥିଲେ ହେଁ ପୌର ପ୍ରଶାସନର ଅବହେଳା ପାଇଁ ତାହା ନିର୍ମାଣ ହୋଇପାରିନି। ଏହି ଗରିବ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।

ad-week
Leave A Reply

Your email address will not be published.