ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ହଟିଲେ ୩ କମାଣ୍ଡୋ

add-all

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ସବୁବେଳେ ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବାକୁ କହିଛନ୍ତି। ହେଲେ ତାଙ୍କ ସୁରକ୍ଷାରେ ନିୟୋଜିତ ୩ ଜଣ କମାଣ୍ଡୋ ଡ୍ୟୁଟିରେ ଅବହେଳା କରିଥିବା ଜଣାପଡ଼ିଛି। ଏଥିପାଇଁ କେନ୍ଦ୍ର ସରକାର ଏନଏସ୍‌ଏ ଡୋଭାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ଜଣ କମାଣ୍ଡୋଙ୍କୁ ହଟାଇ ଦେଇଛନ୍ତି।
ଚଳିତ ବର୍ଷ ଫେବୃଆରୀ ମାସରେ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖିବାକୁ ମିଳିଥିଲା। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏପରି ପଦକ୍ଷେପ ଗ୍ରହଣ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ଏହି ସୂତ୍ରରେ କୁହାଯାଇଛି ଯେ ଅଜିତ ଡୋଭାଲଙ୍କ ଭିଆଇ ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ଡେପୁଟି ଇନସପେକ୍ଟର ଜେନେରାଲ (ଡିଆଇଜି) ଓ କମାଣ୍ଡାଣ୍ଟଙ୍କୁ ମିଶାଇ ୩ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଫେବୃଆରୀ ମାସରେ ଅଜିତ ଡୋଭାଲଙ୍କ ବାସଭବନରେ ଜଣେ ବ୍ୟକ୍ତି ବଳପୂର୍ବକ ପଶିବାକୁ ଚେଷ୍ଟା କରୁଥିଲେ। ତେବେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ ଓ ପରେ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।
ବ୍ୟକ୍ତି ଜଣଙ୍କ ପୁଲିସ୍‌ କହିଥିଲେ ଯେ ତାଙ୍କ ଶରୀରରେ ଗୋଟିଏ ଚିପ୍‌ ରହିଛି ଓ ଏହା ଦ୍ୱାରା ବାହାରୁ କିଛି ଲୋକ ତାଙ୍କୁ ନିୟନ୍ତ୍ରଣ କରୁଛନ୍ତି। ହେଲେ ଏମଆରଆଇ ସ୍କାନ ପରେ ତାଙ୍କ ଶରୀରରୁ କୌଣସି ପ୍ରକାରର ଚିପ୍‌ ଠାବ ହୋଇ ନଥିଲା। ବ୍ୟକ୍ତିଜଣଙ୍କ ଗୋଟିଏ ନାଲି ରଙ୍ଗର ଏସ୍‌ୟୁଭି ଧରି ଡୋଭାଲଙ୍କ ଗେଟ୍‌ରେ ପଶିବାକୁ ଚେଷ୍ଟା କରୁଥିଲେ।
ଘଟଣା ବେଳେ ଡୋଭାଲ ଘରେ ରହିଥିଲେ। ଡୋଭାଲଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ କେମିତି ଜଣେ ବ୍ୟକ୍ତି ତାଙ୍କ ପର୍ଯ୍ୟନ୍ତ ଚାଲିଗଲେ, ତା’କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏବେ ଏହି ଘଟଣାରେ କେନ୍ଦ୍ର ସରକାର ୩ ଜଣ କମାଣ୍ଡୋଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଡୋଭାଲଙ୍କ ସୁରକ୍ଷା ଦାୟିତ୍ୱରୁ ହଟାଇ ଦେଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.