ପୁଣି ନ୍ୟୁୟର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ

add-all

ନ୍ୟୁୟର୍କ: ପୁଣିଥରେ ଆମେରିକାର ନ୍ୟୁୟର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିଟିକୁ ପାଦ ପାଖରୁ ସଂପୂର୍ଣ୍ଣ ଭାଙ୍ଗି ଦେବା ସହ ଏହାକୁ ତଳେ ଫୋପାଡ଼ି ଦେଇଛନ୍ତି। ନ୍ୟୁୟର୍କରେ ଥିବା ଗୋଟିଏ ମନ୍ଦିରର ସାମ୍ନାରେ ଗାନ୍ଧିଙ୍କ ଏହି ପ୍ରତିମୂର୍ତ୍ତିଟି ରହିଥିଲା।
ମିଡିଆ ରିପୋର୍ଟ ଅନୁସାରେ, ଅଗଷ୍ଟ ୧୬ରେ ଏହି ଘଟଣା ଘଟିଥିଲା। ଶ୍ରୀ ତୁଳସୀ ମନ୍ଦିର ସାମ୍ନାରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତିଟିକୁ ଭଙ୍ଗାରୁଜା କରାଯାଇଛି। ତେବେ ୬ ଜଣ ଦୁର୍ବୃତ୍ତ ପ୍ରତିମୂର୍ତ୍ତିକୁ ସଂପୂର୍ଣ୍ଣ ଭାଙ୍ଗି ଦେବା ସହ ଅତ୍ୟନ୍ତ ଅଭଦ୍ର ଓ ବିଦ୍ୱେଷ ସୃଷ୍ଟି କରିବା ଭଳି କଥା ଭାଙ୍ଗିଥିବା ମୂର୍ତ୍ତି ଉପରେ ଲେଖିଛନ୍ତି।
ପ୍ରତିମୂର୍ତ୍ତି ଭାଙ୍ଗିଥିବା ଯୁବକଙ୍କ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି କୁହାଯାଉଛି। ପୁଲିସ୍‌ ଘଟଣାସ୍ଥଳର ଭିଡିଓ ଜାରି କରିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ମୁହଁ ଠିକ ଭାବେ ଦେଖାଯାଉ ନାହିଁ। ପ୍ରତିମୂର୍ତ୍ତି ଭାଙ୍ଗିବା ପରେ ସେମାନେ ଗୋଟିଏ ଧଳା ରଙ୍ଗର ମର୍ସିଡିଜ ବେଞ୍ଜ ଓ ଆଉ ଗୋଟିଏ କଳା ରଙ୍ଗର ଟୋୟାଟା କାମରୀ କାରରେ ଫେରାର ହୋଇ ଯାଇଥିବା ପୁଲିସ କହିଛି।
ନ୍ୟୁୟର୍କରେ ଥିବା ଭାରତର କନସ୍ୟୁଲେଟ ଜେନେରାଲ ଘଟଣାର ନିନ୍ଦା କରିଛନ୍ତି। ସେ ଘଟଣା ସମ୍ପର୍କରେ ଆମେରିକା ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଏହାପୂର୍ବରୁ ଅଗଷ୍ଟ ୩ରେ ମଧ୍ୟ ନ୍ୟୁୟର୍କରେ ଥିବା ଆଉ ଗୋଟିଏ ଗାନ୍ଧି ମୂର୍ତ୍ତିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ।

ad-week
Leave A Reply

Your email address will not be published.