
ନୂଆଦିଲ୍ଲୀ: ୨୯ଟି ଫୋନ୍ ଯାଞ୍ଚ କରାଯିବା ପରେ ୫ଟି ଫୋନ୍ରୁ ‘ମାଲ୍ୱେର୍’ ମିଳିଛି। କିନ୍ତୁ, ତାହା ଯେ, ‘ପେଗାସସ୍’ ଏହାର କୌଣସି ସୁନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ବୋଲି ଆଜି ପ୍ରଧାନ ବିଚାରପତି ଏନ୍.ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି।
‘ପେଗାସସ୍’ କେଳଙ୍କାରୀ ମାମଲାରେ ତଦନ୍ତ କରିବା ଲାଗି ସୁପ୍ରିମ୍ କୋର୍ଟ ନିଯୁକ୍ତି କରିଥିବା ବୈଷୟିକ କମିଟି ଆଜି ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କୁ କହିଥିଲେ କି, ସେମାନେ ପରୀକ୍ଷା କରିଥିବା ୨୯ଟି ମୋବାଇଲ୍ ଫୋନ୍ରେ ‘ସ୍ପାଇୱେର୍’ ଥିବାର ସୁନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ।
କମିଟି ଅଦାଲତଙ୍କୁ ଆହୁରି ମଧ୍ୟ କହିଛି ଯେ, ତଦନ୍ତରେ କେନ୍ଦ୍ର ସରକାର ସହଯୋଗ କରି ନାହାନ୍ତି।
‘ପେଗାସସ୍’ ‘ସ୍ପାଇୱେର୍’ ଯୋଗେ ରାଜନେତା, ସାମାଜିକକର୍ମୀ ଏବଂ ସାମ୍ବାଦିକମାନଙ୍କ ଫୋନ୍ରୁ ସୂଚନା ଚୋରି ହେଉଛି ବୋଲି ହୋଇଥିବା ଅଭିଯୋଗ ଯୋଗୁଁ ସୁପ୍ରିମ୍ କୋର୍ଟ ଏକ ବୈଷୟିକ କମିଟି ଗଠନ କରିଥିଲେ। ଉକ୍ତ କମିଟି ଦାଖଲ କରିଥିବା ରିପୋର୍ଟକୁ ଯାଞ୍ଚ କରୁଛନ୍ତି।
ଏ ସଂକ୍ରାନ୍ତରେ ସୂଚନା ଦେଇ ସୁପ୍ରିମ୍ କୋର୍ଟ ଆଜି କହିଛନ୍ତି, ଉକ୍ତ ରିପୋର୍ଟ ୩ଟି ଭାଗରେ ଦାଖଲ କରାଯାଇଛି। ସେଥିରୁ ୨ଟି ରିପୋର୍ଟ ବୈଷୟିକ କମିଟି ଦେଇଥିବା ବେଳେ ଗୋଟିଏ ରିପୋର୍ଟ ସୁପ୍ରିମ୍ କୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍.ଭି. ରବୀନ୍ଦ୍ରନ୍ଙ୍କ ପର୍ଯ୍ୟବେକ୍ଷକ କମିଟି ଦାଖଲ କରିଛି। ଏହି ରିପୋର୍ଟ (ତୃତୀୟ) ସୁପ୍ରିମ୍ କୋର୍ଟର ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଇ ସାର୍ବଜନୀନ କରାଯିବ।
ପିଟିସନର୍ମାନଙ୍କ ମଧ୍ୟରୁ କେତେ ଜଣ ରିପୋର୍ଟର ପ୍ରଥମ ୨ଟି ଭାଗ ମାଗିବାରୁ ପ୍ରଧାନ ବିଚାରପତି କହିଲେ, ଅଦାଲତ ସେମାନଙ୍କ କଥା ତର୍ଜମା କରିବେ। ସମ୍ପୂର୍ଣ୍ଣ ରିପୋର୍ଟ ନ ପଢ଼ିବା ପର୍ଯ୍ୟନ୍ତ ଆମେ ଆଉ ଅଧିକ ମନ୍ତବ୍ୟ ଦେବୁନାହିଁ। ପଅରଦିନ ମୁଁ ନିଜସ୍ବ ମତ ବ୍ୟକ୍ତ କରିବି। ଏହି ମାମଲାର ଶୁଣାଣିକୁ ୪ ସପ୍ତାହ ପର୍ଯ୍ୟନ୍ତ ମୁଲତବୀ ରଖାଗଲା। ପରବର୍ତ୍ତୀ ଶୁଣାଣି ପାଇଁ ରେଜିଷ୍ଟ୍ରି ତାରିଖ ଘୋଷଣା କରିବ।