କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କ ତୁଟାଇଲେ ଗୁଲାମ ନବୀ ଆଜାଦ

add-all

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ଠିକ୍‌ ସେଇଆ ହୋଇଛି। ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ପାଇଁ କାମ କରୁଥିବା କରି ଆସୁଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଦଳ ସହ ସବୁ ସମ୍ପର୍କଚ୍ଛିନ୍ନ କରି ଦେଇଛନ୍ତି। ସେ ଆଜି କଂଗ୍ରେସର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି। ଏଥିସହ ଦଳକୁ ମଧ୍ୟ ବାଏବାଏ କହିଛନ୍ତି।
କିଛି ଦିନ ତଳେ ଆଜାଦ ଜମ୍ମୁ-କଶ୍ମୀରର ପ୍ରଚାର କମିଟି ଅଧ୍ୟକ୍ଷ ଓ ରାଜନୀତିକ ବ୍ୟାପାର କମିଟି ଛାଡ଼ିଥିଲେ। ଏହି ପଦରେ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ନିଯୁକ୍ତି ଦେବାର କିଛି ଘଣ୍ଟା ପରେ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ସେବେଠାରୁ ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ୧୯୭୦ ମସିହାରୁ ଗୁଲାମ ନବୀ ଆଜାଦ କଂଗ୍ରେସ ପାଇଁ କାମ କରି ଆସୁଥିଲେ।
ଆଜି ସେ ନିଜ ମନର କ୍ଷୋଭ ଓ କଂଗ୍ରେସ ତାଙ୍କୁ ଦେଇଥିବା ଭଲ ପାଇବା ସମ୍ପର୍କରେ ଗୋଟିଏ ଚିଠି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିରେ ସେ କଂଗ୍ରେସ ଛାଡ଼ୁଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି।
ବିଗତ କିଛି ଦିନ ହେଲା ଦଳୀୟ ଆଚରଣ ଓ କାର୍ଯ୍ୟଶୈଳୀକୁ ନେଇ ଆଜାଦ ଅସନ୍ତୋଷ ପ୍ରକାଶ କରି ଚାଲିଥିଲେ। ବିଶେଷ କରି ଦଳରେ କୌଣସି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ନ ହେବା ଓ ଦଳର ଆଭ୍ୟନ୍ତରୀଣ ନିର୍ବାଚନ କରା ନଯିବା ଘଟଣାକୁ ନେଇ ସେ ମୁହଁ ଖୋଲିଥିଲେ। ଏପରି କି ସାଂଗଠନିକ ପରିବର୍ତ୍ତନ କରାଯିବାର ଆବଶ୍ୟକତା ଥିବା କଥା କହି ସେ ସୋନିଆ ଗାନ୍ଧିଙ୍କୁ ଚିଠି ମଧ୍ୟ ଲେଖିଥିଲେ।
ସେ ହାଇକମାଣ୍ଡଙ୍କୁ ସିଧାସଳଖ ଟାର୍ଗେଟ କରି ନଥିଲେ ମଧ୍ୟ ତାଙ୍କ ଆଖପାଖରେ ସବୁବେଳେ ରହୁଥିବା ବରିଷ୍ଠ ନେତାଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ। ଏଥିପାଇଁ କଂଗ୍ରେସର ଗୋଟିଏ ଗୋଷ୍ଠୀ ତାଙ୍କୁ ଜି-୨୩ ନେତା ଭାବେ ଆଖ୍ୟା ଦେଇଥିଲେ। ଅର୍ଥାତ ଗୁଲାମ ନବୀ ଓ ତାଙ୍କ ସହ ଥିବା କଂଗ୍ରେସର ଅନ୍ୟ ନେତାମାନଙ୍କୁ ବିଦ୍ରୋହୀ ଭାବେ ପରିଗଣତି କରାଯାଇଥିଲା।

ad-week
Leave A Reply

Your email address will not be published.