ଭୁଲ୍‌ରେ ବିମାନ ବନ୍ଦରକୁ ଗୁଳି ନେଇ ଯାଇଥିବା ଶିକ୍ଷକଙ୍କ ପ୍ରତି ବିଚିତ୍ର ଦଣ୍ଡବିଧାନ

add-all

ନୂଆଦିଲ୍ଲୀ: ଭୁଲ୍‌କ୍ରମେ ବିମାନ ବନ୍ଦରକୁ ଗୋଟାଏ ଅଫୁଟା ଗୁଳି ନେଇ ଯାଇଥିବା ନୂଆଦିଲ୍ଲୀର ଜଣେ ଶିକ୍ଷକଙ୍କ ନାଁରେ ରୁଜୁ ହୋଇଥିବା ‘ଏଫ୍‌ଆଇଆର୍‌’କୁ ରଦ୍ଦ କରି ଦିଲ୍ଲୀ ହାଇକୋର୍ଟ ତାଙ୍କ ପ୍ରତି ବିଚିତ୍ର ଦଣ୍ଡବିଧାନ କରିଛନ୍ତି। ଦଣ୍ଡ ହେଲା, ତାଙ୍କ ସ୍କୁଲ୍‌ରେ ପାଠରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ‘ଏକ୍ସଟ୍ରା କ୍ଲାସ୍’ ନେବେ।

ଆଖପାଖ ପ୍ରାଥମିକ ଶ୍ରେଣୀରେ ପାଠରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବା ଲାଗି ବିଚାରପତି ଯଶମୀତ ସିଂହ ଶିକ୍ଷା ନିର୍ଦେଶାଳୟକୁ କହିବା ସହ ‘ଏକ୍ସଟ୍ରା କ୍ଲାସ୍‌’ ନିମନ୍ତେ କୋଠରି ଯୋଗାଇ ଦେବା ଲାଗି ସମ୍ପୃକ୍ତ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ଙ୍କୁ ଅନୁରୋଧ କରିଛନ୍ତି। ଛୁଟି ଦିନ ଛାଡ଼ି, ବାକି କାର୍ଯ୍ୟ ଦିବସଗୁଡ଼ିକରେ ଦୈନିକ ୨ ଘଣ୍ଟା ଲେଖାଏଁ ‘ଏକ୍ସଟ୍ରା କ୍ଲାସ୍’ ଚାଲିବ।

ତାଙ୍କ ନାମରେ ପଞ୍ଜିକୃତ ହୋଇଥିବା ‘ଏଫ୍‌ଆଇଆର୍‌’କୁ ରଦ୍ଦ କରାଯିବା ଲାଗି ଦାଖଲ କରିଥିବା ପିଟିସନ୍‌ରେ ଶିକ୍ଷକଜଣକ ଲେଖିଥିଲେ ଯେ, ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ତାଙ୍କ ପାଖରୁ ଉଦ୍ଧାର ହୋଇଥିବା ଗୁଳିଟି ସେ ବାଟରୁ ପାଇଥିଲେ। ଏହା ୨୦୦୮-୨୦୦୯ରେ ସେ ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଏକ ସ୍କୁଲ୍‌ରେ ପଢ଼ାଉଥିବା ବେଳର ଘଟଣା। ସେବେଠାରୁ ତାଙ୍କ ନିକଟରେ ସେ ଗୁଳିଟି ଅଛି ଏବଂ ଭୁଲ୍‌କ୍ରମେ ସେ ତାହାକୁ ବିମାନ ବନ୍ଦରକୁ ନେଇ ଆସିଥିଲେ।

ଉଦ୍ଦେଶ୍ୟମୂଳକ ଭାବେ ନୁହେଁ, ଆବେଦନକାରୀଙ୍କ ଅଲକ୍ଷ୍ୟରେ ଗୁଳିଟି ବ୍ୟାଗ୍‌ ଭିତରେ ରହିଯାଇଥିବାରୁ ଏହି ମାମଲା ତାଙ୍କ ନାମରେ ପଞ୍ଜିକୃତ ହୋଇଥିବା ‘ଏଫ୍‌ଆଇଆର୍‌’କୁ ରଦ୍ଦ କରିପାରିବ। କିନ୍ତୁ, ଏଥିଯୋଗୁଁ ପୁଲିସର ବହୁମୂଲ୍ୟ ସମୟ ନଷ୍ଟ ହୋଇଥିବାରୁ ଆବେଦନକାରୀ ସମାଜର ହିତ ପାଇଁ କିଛି ଭଲ କାମ କରିବା ଆବଶ୍ୟକ ବୋଲି ଅଦାଲତ କହିଥିଲେ।

ad-week
Leave A Reply

Your email address will not be published.