ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ମହନ୍ତଙ୍କ ବିରୋଧରେ ଲୁକ ଆଉଟ ନୋଟିସ

add-all

ବେଙ୍ଗାଲୁରୁ: ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଲିଙ୍ଗାୟତ ମହନ୍ତ ଶିବମୂର୍ତ୍ତି ମୁରୁଗା ଶାରାନାରୁ ଦେଶ ଛାଡ଼ି ଫେରାର ହେବାର ଆଶଙ୍କା କରିଛି କର୍ଣ୍ଣାଟକ ପୁଲିସ୍‌। ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ପୁଲିସ୍‌ ତାଙ୍କୁ ଟେକିନେଇ ଜେରା କରିଥିଲା। ହେଲେ ଗିରଫ ନ କରି ଛାଡ଼ି ଦେଇଥିଲା। ଏବେ ପୁଲିସ ମହନ୍ତ ଶିବମୂର୍ତ୍ତିଙ୍କ ନାଁରେ ଲୁକ ଆଉଟ ନୋଟିସ ଜାରି କରିଛି।
ଏହି ନୋଟିସକୁ ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ଜାରି କରାଯାଇଛି। ଏହାର ଅର୍ଥ ମହନ୍ତ ଶିବମୂର୍ତ୍ତି ଫେରାର କିମ୍ବା ଦେଶ ଛାଡ଼ିବାର ଆଶଙ୍କା କରି ପୁଲିସ୍‌ ନୋଟିସ କରିଥିବା କୁହାଯାଉଛି। ଜଣେ ଅଭିଯୁକ୍ତ ଯେମିତି ବିନା ଅନୁମତିରେ ଦେଶ ଛାଡ଼ି ଯାଇ ପାରିବ ନାହିଁ, ସେଥିପାଇଁ ସାଧାରଣତଃ ଏଲଓସ ଜାରି ହୋଇଥାଏ। କର୍ଣ୍ଣାଟକା ପୁଲିସ ମହନ୍ତ ଶିବମୂର୍ତ୍ତିଙ୍କ ନାଁରେ ନୋଟିସ ଜାରି କରି ସମସ୍ତ ଇମିଗ୍ରେସନ ଚେକପଏଣ୍ଟଗୁଡ଼ିକୁ ଅବଗତ କରାଇଛି। ସେ ଯେମିତି ଦେଶ ଛାଡ଼ି ପାରିବେ ନାହିଁ, ତା’କୁ ପୁଲିସ୍‌ ନିଶ୍ଚିତ କରିବାକୁ ଚାହୁଁଛି।
ଲିଙ୍ଗାୟତ ଧର୍ମଗୁରୁ ଶିବମୂର୍ତ୍ତି ମୁରୁଗା ଶାରାନାରୁ ମୁରୁଗା ମଠର ମୁଖ୍ୟ। ତେବେ ସେ ଦୁଇ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ୩ ଦିନ ତଳେ ତାଙ୍କୁ ଥାନାକୁ ନେଇଥିଲେ ମଧ୍ୟ ଜେରା ପରେ ଛାଡ଼ିଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ଶିବମୂର୍ତ୍ତିଙ୍କ ଗିରଫ ଦାବି କରିଛନ୍ତି।
ଚାପ ବଢ଼ୁଥିବାରୁ କର୍ଣ୍ଣାଟକା ପୁଲିସ୍‌ ମଠ ଦ୍ୱାରା ପରିଚାଳିତ ସ୍କୁଲ ହଷ୍ଟେଲର ୱାଡେନଙ୍କୁ ଉଠାଇ ନେଇ ଗିରଫ କରିଥିଲା କିଛି ରିପୋର୍ଟ ପ୍ରକାଶ ପାଇଛି। ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସ୍‌ ପ୍ରଥମଥର ପାଇଁ କାହାକୁ ଗିରଫ କରିବାରେ ସକ୍ଷମ ହୋଇଛି।
ଦୁଇ ଜଣ ନାବାଳିକାଙ୍କ ତରଫରୁ ଗୋଟିଏ ଏନଜିଓ ସଂସ୍ଥା ଶିବମୂର୍ତ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲା। ଏନେଇ ମହୀଶୂର ସିଟି ପୁଲିସ୍‌ ଗୋଟିଏ ଏଫଆଇଆର ରୁଜୁ କରିବା ସହ ପୋକସୋ ଆକ୍ଟ ମଧ୍ୟ ଲଗାଇଥିଲା। କିଛି ଦିନ ତଳେ ମଠର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଦୁଇ ଛାତ୍ରୀ ଶିବମୂର୍ତ୍ତିଙ୍କ ନାଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ ସେମାନେ ‘ଓଦାନାଦି ସେବା ସଂସ୍ଥା’ ନାମକ ଏନ୍‌ଜିଓ ପାଖରେ ପହଞ୍ଚିଥିଲେ। ଏହି ଏନ୍‌ଜିଓ ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଘଟଣା ସଂକ୍ରାନ୍ତରେ ଅବଗତ କରାଯିବା ସହ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା। ଏନେଇ ଶିବମୂର୍ତ୍ତିଙ୍କ ସମେତ ୫ ଜଣଙ୍କ ନାଁରେ ଏଫଆଇଆର କରିଥିଲା।
ମୁରୁଗା ମଠଦ୍ୱାରା ପରିଚାଳିତ ହଷ୍ଟେଲରେ ରହୁଥିବା ୧୫ ଓ ୧୬ ବର୍ଷୀୟ ଏହି ଦୁଇ ନାବାଳିକା ସାଢ଼େ ୩ ବର୍ଷରୁ ଅଧିକ ସମୟ ହେବ ଯୌନ ନିର୍ଯାତନାର ଶିକାର ହୋଇଆସୁଥିଲେ। ଅନେକ ବର୍ଷ ହେଲାଣି ମଠରେ ଏଭଳି ଅପକର୍ମ ଚାଲିଛି। କିନ୍ତୁ, ଭୟରେ ପିଲାମାନେ କିଛି କହି ପାରୁନାହାନ୍ତି। ଆମେ କୌଣସି ଚାପ ଅଥବା ଧମକ ଭୟରେ ଡରିବୁ ନାହିଁ। ପିଲାମାନଙ୍କର ଅଧିକାର ସୁରକ୍ଷିତ ରଖିବା ସମାଜର କର୍ତ୍ତବ୍ୟ। ଆମେ ଏଥିପ୍ରତି ପ୍ରତିବଦ୍ଧ ବୋଲି ଏନ୍‌ଜିଓ ସଂସ୍ଥା ‘ଓଦାନାଦି ସେବା ସମିତି’ର ମୁଖ୍ୟ କହିଛନ୍ତି।

ad-week
Leave A Reply

Your email address will not be published.