
ମୁମ୍ବାଇ: ସର୍ବସମ୍ମୁଖରେ ଗୁଣ୍ଡାଗର୍ଦ୍ଦି କରିଛନ୍ତି ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ୍)ର ଜଣେ ନେତା। ସେ ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ ଧକ୍କା ମାରିବା ସହ ପ୍ରବଳ ମାଡ଼ ମାରିଛନ୍ତି। ତାଙ୍କର ଏହି ହରକତ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ମାଡ଼ ଖାଇଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରକାଶ ଦେବୀ।
ଅଗଷ୍ଟ ୨୮ରେ ଏମଏନଏସ୍ ନେତା ବିନୋଦ ଅରଗିଲେଙ୍କ ନେତୃତ୍ୱରେ ଦଳର ପ୍ରଚାର ପାଇଁ ଗୋଟିଏ ଖୁଣ୍ଟ ମୁମ୍ବାଇର କାମାଥିପୁରା ଅଞ୍ଚଳରେ ପୋତା ଯାଉଥିଲା। ଏହାକୁ ପ୍ରକାଶ ଦେବୀ ବିରୋଧ କରିଥିଲେ। ବାସ୍ ଏହି ସମାନ୍ୟ କଥାରୁ ଏମଏନଏସ୍ କର୍ମୀମାନେ ତାଙ୍କୁ ଗାଳିଗୁଲଜ କରିଛନ୍ତି। ଏଥିସହ ବରିଷ୍ଠ ନେତା ବିନୋଦ କ୍ୟାମେରା ସାମ୍ନାରେ ମହିଳାଙ୍କୁ ବାରମ୍ବାର ପିଟୁଥିବା ଦେଖିବାକୁ ମିଳିଛି।
ଭିଡିଓରେ ଜଣେ ବ୍ୟକ୍ତି ୟବିନୋଦଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ସେ କିଛି ନ ଶୁଣି ମହିଳାଙ୍କୁ ଚାପୁଡ଼ା, ବିଧା ଓ ଧକ୍କା ମାରିବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ମହିଳା ଜଣଙ୍କ ମାଡ଼ ଖାଇ ରାସ୍ତାରେ ପଡ଼ି ଯାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାସ୍ତାରେ ଅନେକ ଲୋକ ଯିବା ଆସିବା କରୁଥିଲେ ମଧ୍ୟ କେହି ବି ଏଥିରେ ହସ୍ତକ୍ଷେପ କରି ନଥିବା ୮୦ ସେକେଣ୍ଡ ଭିଡିଓରୁ ଜଣାପଡ଼ୁଛି।
ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୨୮ରେ ଏମଏନଏସର କର୍ମୀମାନେ ମୁମ୍ବା ଦେବୀ ଅଞ୍ଚଳରେ ଥିବା ଗୋଟିଏ ମେଡିସିନ ଦୋକାନ ଆଗରେ ବାଉଁଶ ଖୁଣ୍ଟି ପୋତିବାକୁ ଉଦ୍ୟମ କରିଥିଲେ। ଏହି ଖୁଣ୍ଟିରେ ଦଳର ପ୍ରଚାର ବ୍ୟାନର ଲାଗିବାର ଥିଲା। ହେଲେ ଉକ୍ତ ଦୋକାନଟି ପ୍ରକାଶ ଦେବୀଙ୍କର ହୋଇଥିବାରୁ ସେ କର୍ମୀମାନଙ୍କୁ ଟିକିଏ ସାଇଡରେ ଖୁଣ୍ଟ ପୋତିବାକୁ ପରାମର୍ଶ ଦେଇଥିଲେ। ବାସ ଏହି କଥା ଶୁଣି ଏମଏନଏସ୍ ନେତା ବିନୋଦ ଓ ଅନ୍ୟମାନେ ତାଙ୍କୁ ଗାଳି କରିବା ସହ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି।
ପୁଲିସ କହିଛନ୍ତି ଯେ ମହିଳା ଜଣଙ୍କ ଘଟଣାର ୩ ଦିନ ପରେ ଅର୍ଥାତ ଅଗଷ୍ଟ ୩୧ରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ୍ ଏହାକୁ ଆଧାର କରି ମାମଲା ରୁଜୁ କରିଛି। ସେହିପରି ମହିଳାଙ୍କୁ ମେଡିକାଲ ପରୀକ୍ଷା କରାଯାଇଛି। ଏଥିସହ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଏନଏନଏସ୍ ପକ୍ଷରୁ ଏଂଏ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।