ଗୁଣିଗାରେଡ଼ି ସଂଦେହରେ ବୃଦ୍ଧଙ୍କୁ ହତ୍ୟା, ୨ ଅଟକ

add-all

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ସେରପାଲୀ ପଞ୍ଚାୟତର କୁସୁମବାହାଲ ଗ୍ରାମରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସଂଦେହରେ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦାୟର କରାଯାଇଛି। ଏତଲାକୁ ଭିତ୍ତି କରି ପୁଲିସ ୨ ଜଣକୁ ଅଟକ ରଖିଥିବା ଜଣାପଡିଛି।

ଘଟଣା ଅନୁଯାୟୀ ଗତକାଲି ପ୍ରାୟ ୩ଟା ବେଳେ କଦଳୀପଦର ଗ୍ରାମ ନିକଟରେ ରହିଥିବା ନାଳ ପାଖରେ ମୁକ୍କା ମାଡକାମୀ(୭୦) ବସିଥିଲେ।

ହଠାତ୍ କଦଳୀପଦର ଗ୍ରାମର ସନା ବେକ ଓ ଆଡମା ମାଡକାମୀ ଦୁହେଁ ମୁକ୍କା ସହ ଯୁକ୍ତିତର୍କ କରି ମାଡ ମାରିଥିଲେ। ନିର୍ଧୁମ ପିଟିବା ପରେ ମୁକ୍କା ମାଡକାମୀଙ୍କ ନାକ ଏବଂ ପାଟିରୁ ରକ୍ତ ବାହାରିଥିଲା। ଅଚେତ ହୋଇ ସେଠାରେ ମୁକ୍କା ପଡି ରହିଥିଲେ। ପରେ ସେମାନେ ପୁଣି ମୁକ୍କାଙ୍କୁ ଘୁଷୁରି ଘୁଷୁରି ବୈଠକ ଘରେ ଆଣି ଛାଡି ଦେଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ।ତୁରନ୍ତ ବୃଦ୍ଧ ମୁକ୍କା ମାଡକାମୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ।

ତେବେ ପୁଲିସ ଥାନାରେ ନାତି ସଂତୋଷ କୁମାର ମାଡକାମୀ ଲିଖିତ ଅଭିଯୋଗ ଦେବା ପରେ ଆଜି ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଏନେଇ ଆଇଆଇସି ରିଗାନ କିଣ୍ଡୋଙ୍କୁ ପଚାରିବାରୁ ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ। ମାଲକାନଗିରି ଜିଲ୍ଲାରେ ଲଗାତାର ଗୁଣିଗାରେଡିକୁ ନେଇ ହତ୍ୟା ବଢି ଚାଲିଛି। ଜିଲ୍ଲାରେ ଅନ୍ଧବିଶ୍ବାସକୁ ନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ଲଗାତାର ସଚେତନତା କରାଉଥିଲେ ମଧ୍ୟ ଲୋକେ ଏଥିରୁ ମୁକୁଳିପାରି ନାହାନ୍ତି।

ad-week
Leave A Reply

Your email address will not be published.