ଫାଦର୍‌ ଅରୁଲ ଦସ ହତ୍ୟା ମାମଲାରେ ହାଇକୋର୍ଟରୁ ଦାରା ସିଂ ନିରାଶ

add-all

କଟକ: ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ଦାରା ସିଂ ହାଇକୋର୍ଟରୁ ନିରାଶ ହୋଇଛନ୍ତି। ଖ୍ରୀଷ୍ଟିଆନ୍‌ ପାଦ୍ରୀ ଅରୁଲ ଦସ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଦଣ୍ଡଦେଶ, ହାଇକୋର୍ଟରେ କାଏମ ରହିଛି। ଦାରା ସିଂ ଓ ତା’ର ସହଯୋଗୀ ରାଜ କିଶୋର ମହନ୍ତ, ଯଦୁନାଥ ମହନ୍ତ ଏବଂ ଚେମା ହୋ’ଙ୍କ ଅପିଲକୁ ହାଇକୋର୍ଟ ଖାରଜ କରିଛନ୍ତି।

୧୯୯୯ ମସିହା ସେପ୍ଟେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାର ଜାମବନି ଗାଁରେ ଫାଦର୍‌ ଅରୁଲ ଦସଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ଦାରା ସିଂ ଓ ତା’ର ଅନ୍ୟ ସହଯୋଗୀମାନେ ଫାଦର ଅରୁଲଙ୍କୁ ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ସେହି ଚର୍ଚ୍ଚରେ ନିଆଁ ଲଗାଇ ଫେରାର ହୋଇ ଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ମୟୂରଭଞ୍ଜ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ୨୦୦୭ ସେପ୍ଟେମ୍ୱର ମାସରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା। ମୟୂରଭଞ୍ଜ ନିମ୍ନ ଅଦାଲତ ମାମଲାକୁ ବିଚାର କରି ଅଭିଯୁକ୍ତ ଦାରା ସିଂ ଓ ତାଙ୍କର ତିନି ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ।

ନିମ୍ନ ଅଦାଲତଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସମସ୍ତ ଦୋଷୀ ହାଇକୋର୍ଟରେ ଅପିଲ୍‌ କରିଥିଲେ। ଅପିଲ ଖାରଜ କରିବା ସହ ଜାମିନରେ ଥିବା ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ମଧ୍ୟ ହାଇକୋର୍ଟ ରଦ୍ଧ କରିଛନ୍ତି। ଆସନ୍ତା ୨୩ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ କୋର୍ଟ ରାୟରେ ଶୁଣାଇଛନ୍ତି। ଦାରା ସିଂ ଏବେ ଜେଲରେ ଥିବା ବେଳେ ଅନ୍ୟ ୩ ଜଣ ଜାମିନରେ ଅଛନ୍ତି।

ଗ୍ରାହମ୍‌ ଷ୍ଟେନ୍‌ସ ଓ ତାଙ୍କର ଦୁଇ ଶିଶୁ ପୁତ୍ରଙ୍କୁ ଜୀବନ୍ତ ପୋଡ଼ି ହତ୍ୟା ମାମଲାରେ ଦାରା ସିଂଙ୍କୁ ମୟୂରଭଞ୍ଜ ନିମ୍ନ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଯାହାକି ପରବର୍ତ୍ତୀ ସମୟରେ ହାଇକୋର୍ଟ ଓ ପରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ଆଜୀବନ କାରାଦେଣ୍ଡ ଦେଶରେ ପରିବର୍ତ୍ତିତ ହୋଇଥିଲା। ଏବେ ଦାରା ଜେଲ୍‌ରେ ଅଛନ୍ତି।

ad-week
Leave A Reply

Your email address will not be published.