ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦ ନିର୍ଦ୍ଦେଶ

add-all

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମ ଉପରେ ବାଜିଲା ଏନଜିଟି ଛାଟ । କାର୍ଯ୍ୟ ବନ୍ଦ ପାଇଁ ଜିଲ୍ଲାପାଳ ଓ କଟକ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ପରବର୍ତ୍ତୀ ଶୁଣାଣି ଯାଏ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମ ୧୧୦ ଏକର ଜମିରେ ଚାଲୁଥିବା ବେଳେ ସେଥିରେ ୩୩ ଏକର ଜମି ହେଉଛି ଜଙ୍ଗଲ କିସମର ଜମି ।

କିନ୍ତୁ ଏହି କାମ ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳି ନାହିଁ । ତା’ ସହିତ ଗ୍ରାମସଭା ପରିଚାଳନାରେ ଅନିୟମିତତା ହୋଇଥିବା ଜଣାପଡ଼ିଛି । ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ଯାଜପୁର ଜିଲ୍ଲାପାଳ, କଟକ ଡିଏଫ୍ଓ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ଷ୍ଟେଟ ଏନଭାରମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି।

ଜଙ୍ଗଲ ଜମିରେ ଅଣଜଙ୍ଗଲ ବା କଂକ୍ରିଟ କାମ ହୋଇପାରିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ ଏଠାରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି। ତା’ ଛଡ଼ା କିଛି ପାଟ କିସମର ମଧ୍ୟ ଜମି ରହିଛି । ଏଣୁ ୱେଟଲ୍ୟାଣ୍ଡ ମ୍ୟାନେଜମେଣ୍ଟ ନିୟମ ଅନୁସାରେ ଏଠାରେ ମଧ୍ୟ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ହେବା କଥା ନୁହଁ । ସୌନ୍ଦର୍ଯ୍ୟକରଣ ନାଁରେ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇନଥିବା ଅଭିଯୋଗ କରି ଏନଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ ଦିଲୀପ କୁମାର ସାମନ୍ତରାୟ ନାମକ ଜଣେ ବ୍ୟକ୍ତି ।

ଏନେଇ ଆବେଦନକାରୀ ଦିଲୀପ କୁମାର ସାମନ୍ତରାୟଙ୍କ ଓକିଲ ଶଙ୍କର ପାଣି କହିଛନ୍ତି, ଗତ ଜୁଲାଇରେ ଏନେଇ ଏନଜିଟିରେ ମାମଲା ରୁଜୁ ହୋଇଥିଲା। ଏହାପରେ ଏନଜିଟିଙ୍କ ପକ୍ଷରୁ କଟକ ଡିଏଫଓ ଓ ଯାଜପୁର ଜିଲ୍ଲାପାଳଙ୍କୁ ନୋଟିସ ହୋଇଥିଲା। ସେମାନେ ସତ୍ୟପାଠ ଦାଖଲ କରିଥିଲେ। ଜଙ୍ଗଲ ଜମିରେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କିଛି କାମ ହୋଇପାରିବ ନାହିଁ। ତେଣୁ ଏହି କାମ ପାଇଁ କିଏ ଅନୁମତି ଦେଲା ତାହା ଏବେ ବିରାଟ ପ୍ରଶ୍ନବାଚୀ ।

ad-week
Leave A Reply

Your email address will not be published.