ଏନଇଇଟି ପରୀକ୍ଷା: ଟପ୍ପର ତାଲିକାରେ ଓଡ଼ିଆ

add-all

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ଆୟୋଜିତ ହୋଇଥିବା ଏନଇଇଟି ପରୀକ୍ଷା ଫଳ। ଏହି ପରୀକ୍ଷାର ଟପ୍ପର ତାଲିକାରେ ରହିଛନ୍ତି ଓଡିଶାର ପ୍ରିୟ ସୋମଦୂତ ନାୟକ। ପ୍ରିୟ ୭୨୦ରୁ ୭୦୫ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ୩୯ ରାଙ୍କ ରଖିଛନ୍ତି।

ପ୍ରିୟ ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର। ଯିଏକି ଯୁକ୍ତ ଦୁଇ ପରୀକ୍ଷାରେ ୯୬.୮ ପ୍ରତିଶତ ମାର୍କ ରଖିଥିଲେ। ସେ ୭୦୦ ଉପରେ ମାର୍କ ରଖିବେ ବୋଲି ବିଶ୍ୱାସ ରଖିଥିଲେ କିନ୍ତୁ ଯେଉଁ ମାର୍କ ସେ ରଖିଛନ୍ତି ସେଥିପାଇଁ ସେ ସନ୍ତୁଷ୍ଚ ବୋଲି କହିଛନ୍ତି।

ସେ କହିଛନ୍ତି, ମୋର ଡାକ୍ତର ହେବାକୁ ସ୍ୱପ୍ନ ଥିଲା। ରାଜଧାନୀ ଦିଲ୍ଲୀ ସ୍ଥିତ ଏମ୍ସରେ ଏମବିବିଏସରେ ନାମଲେଖାଇବାକୁ ସେ ଇଚ୍ଛା ରଖିଛନ୍ତି। ସେ ମାଟ୍ରିକ ପରେ ଏନଇଇଟି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ତାଙ୍କର ସଫଳତା ପାଇଁ ସେ ତାଙ୍କ ଶୁଭେଛୁ, ପରିବାର ବର୍ଗ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ କହିଛନ୍ତି, ‘ଆମେ ସବୁବେଳେ ସ୍କୁଲ ଓ କୋଚିଂ ମଧ୍ୟରେ ସିଲାବସକୁ ସନ୍ତୁଳନ ରଖିବାରେ ସଫଳ ହୋଇଛୁ । ଯାହାକୁ ଆମେ ‘ଇଣ୍ଟିଗ୍ରେଟେଡ୍ ପ୍ରୋଗ୍ରାମ୍’ ବୋଲି କହୁଛୁ। ସ୍କୁଲ୍ ଶିକ୍ଷକ ଓ କୋଚିଂ କ୍ଲାସ୍ ଅଧ୍ୟାପକଙ୍କ ମଧ୍ୟରେ ଅନେକ ସମନ୍ୱୟ ଆବଶ୍ୟକ। ପ୍ରିୟଙ୍କ ପାଇଁ ମୁଁ ବହୁତ ଖୁସି’।

ସର୍ବଭାରତୀୟ ସ୍ତରରେ ରାଜସ୍ଥାନର ତନିଷ୍କା ୭୨୦ରୁ ୭୧୫ ନମ୍ବର ରଖିଛନ୍ତି। ଦିଲ୍ଲୀର ବାତସା ଆଶିଷ ବାତ୍ରା ସମାନ ସ୍କୋର ସହ ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ତନିଷ୍କା ମୂଳତଃ ହରିଆଣାର କିନ୍ତୁ ସେ ରାଜସ୍ଥାନ କୋଟାରୁ ନିଟ୍ ପରୀକ୍ଷା ଦେଇଥିଲେ।

୪ ଜଣ ପରୀକ୍ଷାର୍ଥୀ ୭୨୦ରୁ ୭୧୫ ନମ୍ବର ରଖି ଶୀର୍ଷ ୪ରେ ସ୍ଥାନ ପାଇଛନ୍ତି। ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ କର୍ଣ୍ଣାଟକର ୯ ଜଣ, ଦିଲ୍ଲୀ ଏନସିଟି ଓ ଗୁଜରାଟର ୫ ଜଣ ଲେଖାଏଁ ଏବଂ ଆନ୍ଧ୍ରପ୍ରଦେଶର ୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ad-week
Leave A Reply

Your email address will not be published.