ସ୍ମାର୍ଟସ୍କୁଲର ପିଲାମାନେ ୟୁପି ସ୍କୁଲକୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଯାଉଛନ୍ତି

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଯାହାକି ୧୯୮୩ ମସିହାରୁ ସ୍ଥାପିତ ହୋଇଅଛି ।ଏହି ବିଦ୍ୟାଳୟକୁ ୨୦୨୨ ମସିହାରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଛି।ଏହି ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତଥାପି ସ୍କୁଲର ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ସରକାର ପ୍ରତ୍ୟେକ ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉତ୍ତମମାନର ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟେକ ସ୍କୁଲ ରେ ପାଚିକାମାନେ ଖାଦ୍ୟ ରନ୍ଧନ କରି ଛାତ୍ରଛାତ୍ରୀ ମାନଙ୍କୁ ସୁଖାଦ୍ୟ ଦେବାର ବ୍ୟବସ୍ଥା ରହିଅଛି କିନ୍ତୁ ଏହି ସ୍ମାର୍ଟ ସ୍କୁଲରେ ତାହା ଦେଖିବାକୁ ମିଳୁନାହିଁ । ଏହି ସ୍ମାର୍ଟ ସ୍କୁଲର ଛାତ୍ର ଛାତ୍ରୀ ମାନେ ପ୍ରାୟ ଦୁଇଶହ ମିଟର ଦୂରରେ ଥିବା ଶଙ୍କରାଖୋଲ ୟୁପି ବିଦ୍ୟାଳୟକୁ ପ୍ରତ୍ୟେକ ଦିନ ମୂଖ୍ୟ ରାସ୍ତା ଦେଇ ରୋଡ କ୍ରସ କରି ରନ୍ଧା ଖାଦ୍ୟ ଖାଇବାକୁ ଯାଉଛନ୍ତି। ସେହି ମୁଖ୍ୟ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ହଜାର ହଜାର ଯାନ ବାହନ ଯିବା ଆସିବା କରୁଛନ୍ତି। ସେହି ସମୟ ରେ ପିଲାମାନେ ଥାଳି ଧରି ଖାଦ୍ୟ ଖାଇବା ପାଇଁ ଦୌଡା ଦୌଡ଼ି କରି ଯାଉଛନ୍ତି।ଏଥି ସହିତ କିଛି ମନ୍ଦ ପ୍ରକୃତିର ଯୁବକ ମାନେ ରାସ୍ତରେ ଯିବା ସମୟରେ ଥଟ୍ଟା ଥାପରା କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଏହି ସମୟରେ କିଛି ଯଦି ଦୁର୍ଘଟଣା ଘଟିଯାଏ ତାହାଲେ ସେଥିପାଇଁ ଦାୟୀ କିଏ ହେବ ବୋଲି ଅଞ୍ଚଳବାସୀ ତରଫରୁ ଅଭିଯୋଗ ହୋଇଛି। ଛୋଟ ଛୋଟ କୋମଳ ଛାତ୍ରଛାତ୍ରୀଙ୍କୁ ବିପଦ ମୁହଁକୁ ଠେଲିଦିଆ ଯାଉଛି ବୋଲି ସର୍ଵ ସାଧାରଣରେ ଚର୍ଚ୍ଚା ହେଉଛି। ଏଥିପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ଶଙ୍କରାଖୋଲ ସ୍ମାର୍ଟସ୍କୁଲର ପ୍ରଧାନ ଶିକ୍ଷକ ଦାୟୀ ରହିବେ,ବିଇଓ ନା ଡ଼ିଇଓ ଦାୟୀ ରହିବେ କିମ୍ବା ଅଭିଭାବକମାନେ ଦାୟୀ ରହିବେ ବୋଲି ଏହା ଶଙ୍କରାଖୋଲ ଗ୍ରାମର ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି । ସରକାରଙ୍କ ନିୟମ ଅନୁଯାୟୀ ବେସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟ ଖାଇ ଛୁଟିରେ ଖାଇବା ପାଇଁ ଘରକୁ ନଯାଇ ସାଥିରେ ଖାଦ୍ୟ ପଦାର୍ଥ ଆଣିବାକୁ ପରାମର୍ଶ ଦିଆଯାଉଥିବା ବେଳେ ସ୍ମାର୍ଟ ସ୍କୁଲରେ କିପରି ମଧ୍ୟାହ୍ନ ଭୋଜନ ପାଇଁ ଅନ୍ୟ ଏକ ବିଦ୍ୟାଳୟକୁ ପଠାଯାଉଛି ସମସ୍ତଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି। ସେହି ସ୍ମାର୍ଟ ସ୍କୁଲରେ କାହିଁକି ଖାଦ୍ୟ ରନ୍ଧା ଯାଉ ନାହିଁ, ଛାତ୍ରଛାତ୍ରୀ ମାନେ ଅନ୍ୟତ୍ର କାହିଁକି ଖାଦ୍ୟ ଖାଇବା ପାଇଁ ଯାଉଛନ୍ତି !! ଏହାର ଜବାବ ଦେବ କିଏ? ଏଣୁ ଛାତ୍ର ଛାତ୍ରୀ ମାନଙ୍କର ଅଭିଭାବକମାନେ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିବା ପାଇଁ ଦାବି କରିଛନ୍ତି। ଏନେଇ କନ୍ଧମାଳ ମିଡ଼ିଆ ଫୋରମର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ,ସନ୍ତୋଷ ଦିଗାଲ, ଆଇନ ଉପଦେଷ୍ଟା ତଥା ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା,ଉପ ସଭାପତି ତଥା ଆଇନଜୀବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସମ୍ପାଦକ ତଥା ସମାଜସେବୀ ସୂର୍ଯ୍ୟ ନାରାୟଣ ବେହେରା,ସହ ସମ୍ପାଦକ ତଥା ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ତୁରନ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ଏଥିପ୍ରତି ଗୁରୁତର ସହ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.