
ବୁଗୁଡ଼ା (୧୧/୦୯) : ବ୍ରହ୍ମପୁର ଯିବେ କହି କାର ଭଡା କରି କାରରେ ଚଢିବା ପରେ ଅଧ ରାସ୍ତାରେ କାର ଡ୍ରାଇଭରକୁ ମାଉଜର ଦେଖାଇ ଲୁଟି ନେଉଥିବା ବେଳେ ଖବର ପାଇ ଗାଁ ଲୋକ ଅଟକାଇବା ପରେ କାର ଛାଡି ଦୌଡିଲେ ଦୁର୍ବୁତ୍ତ l ଏମିତି ଏକ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମ ନିକଟରେ l ସୂଚନା ଅନୁସାରେ ନୟାଗଡ଼ ଥାନା ଆନ୍ତର୍ଗତ ଲକ୍ଷ୍ମୀ ପ୍ରସାଦ ଗ୍ରାମର କାର ଚାଳକ ନରୋତ୍ତମ ନାୟକ ନିଜ ଇଣ୍ଡିଗୋ କାର (ଓଆର-୨୫ସି ୨୭୪୪)କୁ ରଖି ନୟାଗଡ ବସଷ୍ଟାଣ୍ଡ ନିକଟରେ ଥିବା ବେଳେ ୪ ଜଣ ଦୁର୍ବୁତ୍ତ ବ୍ରହ୍ମପୁର ଯିବା ପାଇଁ ଭଡାରେ ନେଇ ଆସୁଥିଲେ ଏବଂ ରାସ୍ତାରେ କୋମଣ୍ଡ ଠାରେ ସେମାନେ ମଦ୍ୟପାନ କରିଥିଲେ l ସେଠାରୁ ଆସୁଥିବା ସମୟରେ କରଚୁଲି ନିକଟରେ ଜଣେ ବାନ୍ତି କରିବାରୁ ଡ୍ରାଇଭର ଗାଡିକୁ ସାଇଡ କରି ରଖିବା ସହ ପାଣି ବୋତଲ ମଧ୍ୟ ବଢ଼ାଇ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୁତ୍ତ ହଠାତ ଏକ ବନ୍ଧୁକ ବାହାର କରି ନରୋତ୍ତମଙ୍କ ମୁଣ୍ଡରେ ଲଗାଇ ଗାଡି ଚାବି ଛଡାଇ ନେଇ ତାଙ୍କ ମୋବାଇଲ ଛଡାଇକୁ ଉଦ୍ୟମ କଲା ବେଳେ ସେ ପ୍ରାଣ ଭୟରେ ଦୌଡ଼ି ପଳାଇଥିଲେ ଏବଂ ଏ ନେଇ କରଚୁଲି ଗ୍ରାମବାସୀଙ୍କୁ ଜଣାଇ ଥିଲେ l ଏ ଭିତରେ ଦୁର୍ବୁତ୍ତ ମାନେ କାର ଧରି ପଳାଉ ଥିବା ବେଳେ କରଚୁଲି ଗ୍ରାମବାସୀ ବାଇକରେ ପିଛା କରି ବି.କରଡ଼ାବାଡ଼ି ପର୍ଯ୍ୟନ୍ତ ଆସିଥିଲେ ହେଁ ବି.କରଡ଼ାବାଡ଼ି ପୂର୍ବରୁ ଦଦରାଖୋଲ କେନାଲ ରାସ୍ତାରେ ଗାଡି ଛାଡି ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇଥିବା ଜଣା ପଡିଛି l ଖବର ପାଇ ବୁଗୁଡ଼ା ପୋଲିସ ଉକ୍ତ ଗାଡିକୁ ଉଦ୍ଧାର କରିବା ସହ ଏ ନେଇ ତଦନ୍ତ ଜାରି ରହିଥିବା ଆଇଆଇସି ଚିତ୍ତ ରଞ୍ଜନ ବେହେରା ସୂଚନା ଦେଇଛନ୍ତି l
