
କୋଲକାତା: ଗତକାଲି ପଶ୍ଚିମବଙ୍ଗରେ ବିଜେପି ଶକ୍ତି ପ୍ରଦର୍ଶନ କରିଥିଲା । ମମତା ସରକାରଙ୍କ ଭ୍ରଷ୍ଟାଚାର ପ୍ରତିବାଦରେ ସାରା ରାଜ୍ୟରୁ ବିଜେପି ନେତା ଓ କର୍ମୀମାନେ ଗତକାଲି ନବାନ୍ନ ଅଭିଯାନ (ସଚିବାଳୟକୁ ଶୋଭାଯାତ୍ରା) କରିଥିଲେ । ତେବେ ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକାଯାଇଥିଲା । ଏହି ସମୟରେ ପୁଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହିତ ବ୍ୟାପକ ହିଂସା ଉପୁଜିଥିଲା। ରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲା। ପୁଲିସ ପାଣି ତୋପ, ଲୁହବୁହା ଗ୍ୟାସ ପ୍ରୟୋଗ ସହିତ ଲାଠିମାଡ଼ କରିଥିଲା। ଏଥିରେ ଅନେକ ବିଜେପି କର୍ମୀ ଓ ସମର୍ଥକ ଆହତ ହୋଇଥିଲେ । ପ୍ରଦର୍ଶନକାରୀ ପୁଲିସ ଗାଡ଼ିରେ ନିଆଁ ମଧ୍ୟ ଲଗାଇଦେଇଥିଲେ |
ଆଉ ଏହି ପ୍ରଦର୍ଶନକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି ଏବଂ ରାଲିରେ ବିଜେପି ଗୁଣ୍ଡାଙ୍କୁ ଆଣିଥିବାର ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, “ସେପ୍ଟେମ୍ବର ୧୩ ର ରାଲି ପାଇଁ ବିଜେପି ପଶ୍ଚିମବଙ୍ଗ ବାହାରୁ ଗୁଣ୍ଡାମାନଙ୍କୁ ଆଣିଥିଲା | ସେମାନେ ବୋମା ମଧ୍ୟ ଆଣିଥିଲେ |
ବିଜେପିର ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଗୁଳି ଚଳାଇ ପାରିଥାନ୍ତା କିନ୍ତୁ ସରକାର ସଂଯମତା ଅବଲମ୍ବନ କରିଥିଲେ । କଲିକତା ହାଇକୋର୍ଟ ମଧ୍ୟ ନବାନ୍ନ ଅଭିଯାନ ସମୟରେ ହୋଇଥିବା ହିଂସା ସମ୍ପର୍କରେ ରାଜ୍ୟ ଗୃହ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ଦାଖଲ କରିବାକୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ କୋର୍ଟ ସମୟ ଦେଇଛନ୍ତି। ଏହି ଘଟଣାର ଭିଡିଓ ସେୟାର କରି ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ଟ୍ୱିଟ କରି କହିଛନ୍ତି ଯେ କେବଳ ପଶ୍ଚିମବଙ୍ଗ ନୁହେଁ ସମଗ୍ର ଦେଶ ଦେଖିଛି ଯେ ବିଜେପି ଗୁଣ୍ଡା ଆମ ରାଜ୍ୟରେ କଣ କରୁଛନ୍ତି । ଆମେ ଭାବୁଛୁ ଯେ ଏହି ଲୋକମାନେ ଯଦି କ୍ଷମତାକୁ ଆସିଯିବେ ତେବେ କଣ ସବୁ ନ କରିବେ |