ମୋଦି, ମୋଦି ନାରାରେ କେଜ୍ରିୱାଲଙ୍କୁ ସ୍ୱାଗତ

add-all

ଭଦୋଦରା: ଗୁଜରାଟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଆଜି ସେ ଭଦୋଦରା ଏୟାରପୋର୍ଟରୁ ବାହାରିବା ବେଳେ ତାଙ୍କୁ ମୋଦି, ମୋଦି ନାରାରେ ସ୍ୱାଗତ କରାଯାଇଛି। ସେ ଭଦୋଦରା ଟାଉନ ହଲ୍‌ରେ ସମ୍ବୋଧନ କରିବା ପାଇଁ ସେଠାରେ ପହଞ୍ଚିଥିଲେ।
ହେଲେ ତାଙ୍କୁ ଏୟାରପୋର୍ଟ ନିକଟରେ ମୋଦି, ମୋଦି ନାରା ଶୁଣିବାକୁ ପଡ଼ିଛି। ଏହା ଶୁଣି କେଜ୍ରିୱାଲ କେବଳ ସ୍ମିତ ହାସ୍ୟ ଦେଇ ଲୋକଙ୍କୁ ହାତ ଯୋଡ଼ିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଦଳୀୟ ନେତାଙ୍କ ଠାରୁ ଫୁଲତୋଡ଼ା ଗ୍ରହଣ କରି କାର୍ଯ୍ୟକ୍ରମ ସ୍ଥଳକୁ ଚାଲି ଯାଇଥିଲେ। ଏହି ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି।
ବିଜେପି ଶାସିତ ଗୁଜରାଟରେ ଚଳିତ ବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ହେବ। ଏଠାରେ ଏଥର ଆପ୍‌ ଲଢ଼େଇ କରିବାକୁ ପ୍ରସ୍ତୁତ ହୋଇଛି। ଏଥିପାଇଁ କେଜ୍ରିୱାଲ ଓ ଅନ୍ୟ ନେତାମାନେ ଘନଘନ ଗୁଜରାଟ ଗସ୍ତ କରି ପ୍ରଚାର କରୁଛନ୍ତି। ନିକଟରେ କେଜ୍ରିୱାଲ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକଙ୍କ ସହ କଥାବାର୍ତ୍ତା ହେବା ସହ ଜଣେ ଅଟୋ ଚାଳକଙ୍କ ଘରେ ରାତ୍ର ଭୋଜନ କରିଥିଲେ।
ସେହିପରି ନିର୍ବାଚନ ଜିତିବା ପାଇଁ ସେ ଗୁଜରାଟବାସୀଙ୍କୁ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାବାଦ ମହିଳା ଓ ବେକାର ଯୁବଗୋଷ୍ଠୀଙ୍କୁ ଆପ୍‌ କ୍ଷମତାକୁ ଆସିଲେ ଭତ୍ତା ଯୋଗାଇ ଦେବ ବୋଲି କେଜ୍ରିୱାଲ କହିଛନ୍ତି।

ad-week
Leave A Reply

Your email address will not be published.