
ମାଲକାନଗିରି (୨୦।୯) : ଗରିବ ଲୋକଙ୍କ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଥିବା ବେଳେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ଯନ୍ତ ସରକାରୀ ଯୋଜନାର ଲମ୍ବା ଚିଠା ରହିଛି । ଜଣେ ଗରିବ ଲୋକ କିମ୍ବା ପରିବାର ଅର୍ଥ ଅଭାବରୁ କୌଣସି ସମସ୍ୟା ନ ଭୋଗିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିବା ବେଳେ କିଛି ସ୍ଥାନୀୟ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ଯୋଜନା ଠାରୁ ବଞ୍ଚିତ ଥିବା ଲୋକେ ପ୍ରଶାସନ ନିକଟରେ ପହଞ୍ଚି ପାରୁ ନଥିବା କାରଣରୁ ସରକାରୀ ଯୋଜନା ବାଟବଣା ହେଉଥିବା ଦେଖିବାକୁ ମିଳିଛି । ଏଭଳି କିଛି ସମାନ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମ୍ଭି ୧ ଗ୍ରାମରୁ । ମିଳିଥିବା ସୂଚନା ଅନୁଯାୟୀ ଦୀପକ ମଣ୍ଡଳ ଦୀର୍ଘ ବର୍ଷ ପୂର୍ବେ ନିଜ ଝିଅକୁ ନେଇ ସେହି ଗ୍ରାମକୁ ଆସିଥିଲେ । ତେବେ ସେ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ନିକଟରେ ଘର ଖଣ୍ଡିଏ ମଧ୍ୟ ନଥିବା ବେଳେ ଗ୍ରାମବାସୀଙ୍କ ସହଯୋଗରେ ସେ ମୁଣ୍ଡ ଗୁଞ୍ଜିବା ପାଇଁ ଝାଟି ମାଟିର ଘର ଖଣ୍ଡିଏରେ ରହିଥିଲେ । ତେବେ ଦୀପକଙ୍କ ଝିଅ ଛୋଟ ଥିବା ଅବସ୍ଥାରେହିଁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲି ଯାଇଥିବା ବେଳେ ସେ ନିଜ କୁନି ଝିଅକୁ ଧରି ନାନା ସମସ୍ୟା ମଧ୍ୟରେ ଦିନ କାଟୁଥିଲେ । ସରକାରୀ ସହାୟତା ବାବଦରେ ସେ ସେଭଳି କୌଣସି ସୁବିଧା ପାଇ ନଥିବା ବେଳେ ଦିନ ମଜୁରିଆ ଭାବେ କାମ କରି ଝିଅକୁ ଛୋଟରୁ ବଡ କରିଥିବା ବେଳେ ବର୍ତ୍ତମାନ ଝିଅ ବଡ ହୋଇ +୨ ପ୍ରଥମ ବର୍ଷରେ ପାଠ ପଢୁଥିବା ବେଳେ ଘରର ବୋଝ ମୁଣ୍ଡାଉଥିବା ବାପା ଆରପାରିକୁ ଚାଲିଯିବା ପରେ ଭାଙ୍ଗି ପଡିଛି ଏକା ହୋଇଯାଇଥିବା ଝିଅ ଦୀପା । ବାପାଙ୍କ ମୃତ୍ୟୁରେ ସେ ଭାଙ୍ଗି ପଡିଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ମଧ୍ୟ ଦୀପା ସମର୍ଥ ନଥିବା ବେଳେ ହରିଶଚନ୍ଦ୍ର ଯୋଜନାରେ ତୁରନ୍ତ ମିଳିବା ପାଇଁ ଥିବା ସହାୟତା ମଧ୍ୟ ମିଳି ନଥିଲା । ତେବେ ଗ୍ରାମବାସୀଙ୍କ ସହଯୋଗରେ ଶେଷରେ ଦୀପକଙ୍କ ମର ଶରୀରର ଅନ୍ତିମ ସଂସ୍କାର ହୋଇଥିଲା । ଏପରି ସ୍ଥିତିରେ ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ କରିବା ଦୀପାଙ୍କ ପାଇଁ କଷ୍ଟକର ହୋଇ ପଡିଥିବା ବେଳେ ସେ କିଭଳି ରୂପେ ପାଠ ପଢିବେ ଓ ବଞ୍ଚିବେ ତାହା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ଦାଉ ସାଧୁଛି । ବର୍ତ୍ତମାନ ଗ୍ରାମବାସୀଙ୍କ ସାହାଯ୍ୟରେ ସେ ଚଳୁଥିବା ବେଳେ ପାଠ ପଢା ଠାରୁ ଆରମ୍ଭ କରି ନିଜର ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଦୀପାଙ୍କୁ ନାନା ଅସୁବିଧାର ସାମ୍ନା କରୁଥିବା ବେଳେ ସେ ବର୍ତ୍ତମାନ ସରକାରୀ ସହାୟତାକୁ ଅନାଇ ବସିଛନ୍ତି । ତେବେ ଏନେଇ ଗ୍ରାମ କମିଟିର ସଭାପତି ପରେଶ ବିଶ୍ବାସଙ୍କ ସମେତ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀପାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ସହ ତାଙ୍କର ପାଠ ପଢା ପାଇଁ ମଧ୍ୟ ବ୍ୟବସ୍ତା କରିବାକୁ ଅନୁରୋଧ କରାଯାଇଛି । ହସି ଖେଳି ପାଠ ପଢା ବୟସରେ ମୁଣ୍ଡ ଉପରେ ନିଜ ପେଟକୁ ଦାନା ଯୋଗାଡ କରିବାର ଚିନ୍ତା ଓ ଆଗକୁ ପଢିବାର ଚିନ୍ତା ବର୍ତ୍ତମାନ ଦୀପାଙ୍କ ମୁହଁରୁ ହସ ଛଡାଇ ନେଇଥିବା ବେଳେ ପ୍ରଶାସନ ସମେତ ଉଦାର ବାନ ବ୍ୟକ୍ତି ତାଙ୍କୁ ସହାୟତା କଲେ ଦୀପାଙ୍କ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଖବର ପାଇବା ପରେ ମାଲକାନଗିରି ମା ଘର ସୁରକ୍ଷା ସେନାର ସଦସ୍ୟା ଓ ଆନ୍ତର୍ଜାତୀୟ ମାନବାଧିକାର କମିଶନ ର ସଦସ୍ୟ ପହଁଚି ସାହାଯ୍ୟ କରିବା ସହ ସରକାରୀ ସୁବିଧା ବାବଦରେ ସହାୟତା ଦାବିକରିବା ସହ ସରକାରଙ୍କୁ ଏ ବାବଦରେ ଅଵଗତ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏନେଇ ମାଲକାନଗିରି ଗୋଷ୍ଟି ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନଙ୍କ ଧ୍ୟାନ ଆକର୍ଷଣ କରିବାରୁ ସେ ଘଟଣା ବିଷୟରେ ଅବଗତ ନଥିଲେ, ତେବେ ଏହି ଘଟଣାର ତଦନ୍ତ କରି ସେ ତୁରନ୍ତ ଏନେଇ ପଦକ୍ଷେପ ନେବା ସହ ହରିଶଚନ୍ଦ୍ର ଯୋଜନା ମାଧ୍ୟମରେ ସହାୟତା ଏବଂ ଦୀପାଙ୍କ ପଢା ଓ ଅନ୍ୟାନ୍ୟ ବ୍ୟବସ୍ତା ଦିଗରେ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।