
ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ସରକାର ବିରୋଧରେ କଂଗ୍ରେସ ପେସିଏମ୍ ଅଭିଯାନ ଆରମ୍ଭ କରିଛି। ପେମେଣ୍ଟ ଆପ୍ ପେଟିଏମ୍ ପରି ଏକ ପୋଷ୍ଟର ଲଗାଯାଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ମୁହଁରେ କ୍ୟୁଆର କୋଡ୍ ରଖାଯାଇଛି। ଏଭଳି ପୋଷ୍ଟର କର୍ଣ୍ଣାଟକର ଅନେକ ସର୍ବସାଧାରଣ ସ୍ଥାନରେ ଲଗାଯାଇଛି | ତେବେ ବଡ କଥା ଯେ ଏହି କ୍ୟୁଆର କୋଡ୍ କେବଳ ପ୍ରଦର୍ଶନ ପାଇଁ ନୁହେଁ, ବରଂ ମୋବାଇଲରେ ସ୍କାନ କରିବା ସମୟରେ ଏକ ସ୍ୱତନ୍ତ୍ର ୱେବସାଇଟ୍ ଖୋଲିବ ଯାହା କଂଗ୍ରେସ ଦ୍ୱାରା ଡିଜାଇନ୍ ହୋଇଛି | କଂଗ୍ରେସ ଏହି ୱେବସାଇଟକୁ ‘୪୦% କମିଶନ ସରକାର ‘ନାମରେ ନାମିତ କରିଛି। ଏହି ପୋଷ୍ଟରଗୁଡିକ ବେଙ୍ଗାଲୁରୁର ବସଷ୍ଟାଣ୍ଡ , ପାର୍କ, ବଜାର ଏବଂ ଅନ୍ୟାନ୍ୟ ସ୍ଥାନରେ ଲଗାଯାଇଥିବାର ଦେଖିବାକୁ ମିଳିଛି |
ପୋଷ୍ଟରରେ ଲେଖାଯାଇଛି ଯେ, ଏଠାରେ ୪୦ ପ୍ରତିଶତ କମିଶନ ସ୍ୱୀକାର କରାଯାଏ | କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ସରକାରରେ କୌଣସି ଟେଣ୍ଡର ଦେବା କିମ୍ବା ସରକାରୀ କାର୍ଯ୍ୟ ପାଇଁ ଅତି କମରେ ୪୦% କମିଶନ ଦେବାକୁ ପଡିବ। କଂଗ୍ରେସ କହିଛି ଯେ ରାଜ୍ୟରୁ ପାଣ୍ଠି ପାଇବା ପାଇଁ ରାଜନେତା ଏବଂ ସରକାରୀ କର୍ମଚାରୀଙ୍କୁ ଲାଞ୍ଚର ୪୦ ପ୍ରତିଶତ ଦେବାକୁ ପଡୁଛି ବୋଲି ଅନେକ କଣ୍ଟ୍ରାକ୍ଟର କହୁଛନ୍ତି । ଆଉ ଏଥିପାଇଁ କଂଗ୍ରେସ ଏକ ଅଭିଯାନ ଆରମ୍ଭ କରିଛି। ଏହା ସରକାରଙ୍କ ଦୁର୍ନୀତିର ଖୁଲାସା କରିବ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କିଛି ଦିନ ପୂର୍ବରୁ ବିଜେପି ସରକାରକୁ ‘୪୦ ପ୍ରତିଶତ ସରକାର ‘ବୋଲି କହିଥିଲେ। ସେ କହିଥିଲେ ଯେ ଏହି ସରକାରରେ ଦୁର୍ନୀତି ବଢୁଛି ଏବଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ।