
ମୋହାଲି: ବ୍ୟାଟର୍ ଦେଇଥିବା ସୁଯୋଗକୁ ବୋଲର୍ ଛାଡ଼ିଦେଲେ। କେଏଲ୍ ରାହୁଲ୍, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସଂଗୃହୀତ ୨୦୮ ରନ୍ ଭାରତ ପାଇଁ ଯଥେଷ୍ଟ ହେଲା ନାହିଁ। ଭ୍ରମଣକାରୀ ଅଷ୍ଟ୍ରେଲିଆ ୨୦୯ ରନ୍ ବିଜୟ ଲକ୍ଷ୍ୟକୁ ଅତି ସହଜରେ ୪ ବଲ୍ ପୂର୍ବରୁ ଅତିକ୍ରମ କରି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ମଧ୍ୟ ହୋଇଗଲା। ଏସିଆ କପ୍ ଭଳି ବୋଲିଂ ବିଭାଗ ଦୁର୍ବଳତାକୁ ନେଇ ଚିନ୍ତିତ ଥିବା ଭାରତ ମଧ୍ୟ ନୂଆ ଶୃଙ୍ଖଳା ପ୍ରାରମ୍ଭରୁ ସମାନ ସମସ୍ୟାର ସମ୍ମୁଖୀନ ହୋଇଛି।
ମୋହାଲିର ପିସିଏ ଷ୍ଟାଡିୟମ୍ରେ ମଙ୍ଗଳବାର ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। କେଏଲ୍ ରାହୁଲ ଏବଂ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ। ରୋହିତଙ୍କ ପାଳି କିନ୍ତୁ ୯ ବଲ୍ ୧୧ ରନ୍ରେ ଶେଷ ହୋଇଯାଇଥିଲା। ଜୋସ୍ ହାଜେଲଉଡ୍ ତାଙ୍କୁ ଆଉଟ୍ କରି ଭ୍ରମଣକାରୀ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଗତ ପାଳିରେ ଶତକ ହାସଲ କରିଥିବା ବିରାଟ କୋହଲି ୭ ବଲ୍ରୁ ୨ ରନ୍ କରି ଏଲିସ୍ଙ୍କ ଶିକାର ହୋଇଥିଲେ। ଏହି ସମୟରେ କିନ୍ତୁ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ୭ ଓଭରରେ ୬୮ ରନ୍ ଯୋଡି ଭାରତକୁ ଦୃଢ଼ ମୂଳଦୁଆ ଦେଇଥିଲେ। ରାହୁଲ ୩୫ ବଲ୍ରୁ ୫୫ ଏବଂ ସୂର୍ଯ୍ୟ ୨୫ ବଲ୍ରୁ ୪୬ କରି ଆଉଟ୍ ହୋଇଯିବା ପରେ ଭାରତ ମଧ୍ୟ ଅକ୍ଷର ପଟେଲ୍ ଓ ଦୀନେଶ କାର୍ତ୍ତିକଙ୍କୁ ଶସ୍ତାରେ ହରାଇଥିଲା। ହାର୍ଦିକ ପାଣ୍ଡ୍ୟା କିନ୍ତୁ ତାଙ୍କ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପାଳି ଖେଳିଥିଲେ ମଙ୍ଗଳବାର। ୨୫ ବଲ୍ରୁ ୫୦ ରନ୍ ସଂଗ୍ରହ କରିଥିଲେ ଏହି ବ୍ୟାଟିଂ ଅଲ୍ରାଉଣ୍ଡର୍। ୨୦ତମ ଓଭର ବୋଲିଂ କରିଥିବା ଗ୍ରିନ୍ଙ୍କ ଶେଷ ୩ ବଲ୍କୁ ଛକା ମାରି ହାର୍ଦିକ ୨୧ ରନ୍ ଆଦାୟ କରିଥିଲେ। ଶେଷକୁ ୩୦ ବଲ୍ରୁ ୭୧ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୯ ରନ୍ର ଆହ୍ବାନଭରା ସ୍କୋର୍ ଛିଡ଼ା କରିଥିଲେ।
ଜବାବରେ ପ୍ରଥମ ବଲ୍କୁ ଛକା ମାରି ଆରୋନ୍ ଫିଞ୍ଚ୍ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ। ୬ ଓଭରରେ କଙ୍ଗାରୁ ଦଳ ୬୦ ରନ୍ ସଂଗ୍ରହ କରିନେଇଥିଲା। ଉମେଶ ଯାଦବଙ୍କ ପ୍ରତ୍ୟାବର୍ତନର ପ୍ରଥମ ୪ ବଲ୍କୁ କାମେରନ୍ ଗ୍ରିନ୍ ଚୌକା ମାରି ସ୍ବାଗତ କରିଥିଲେ। ତାଙ୍କ ଦ୍ବିତୀୟ ଓଭରର ପ୍ରଥମ ଦୁଇ ବଲ୍କୁ ଷ୍ଟିଭେନ୍ ସ୍ମିଥ୍ ଛକା ଓ ଚୌକା ମାରିଥିଲେ ମଧ୍ୟ ପରବର୍ତୀ ୨ ବଲ୍ରେ ସେ ରିଭ୍ୟୁ ଜରିଆରେ ୨ ୱିକେଟ୍ ବାହାର କରି ସାନ୍ତ୍ବନା ପାଇଥିଲେ। ୱିକେଟ୍ ପତନ ଘଟିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଏହାର ରନ୍ ହାରକୁ ଖସିବାକୁ ଦେଇନଥିଲା। ଗ୍ରିନ୍ ଓ ସ୍ମିଥ୍ ୭୦ ରନ୍ ଯୋଡ଼ିବା ପରେ ଅଲଗା ହୋଇଥିଲେ। ୧୮ତମ ଓଭରରେ ହର୍ଷଲ୍ ପଟେଲ୍ ୩ ଛକାର ଶିକାର ହେବା ପରେ ଭାରତ ହାତରୁ ମ୍ୟାଚ୍ ଖସିଯାଇଥିଲା। ଭୁବନେଶ୍ବର କୁମାର ଏବଂ ହର୍ଷଲ୍ ପଟେଲ୍ ନିଜ କୋଟୋର ୪ ଓଭରରେ ଯଥାକ୍ରମେ ୫୨ ଓ ୪୯ ରନ୍ ବ୍ୟୟ କରିବା ନିର୍ଣ୍ଣାୟକ ହୋଇଥିଲା। ଗ୍ରିନ୍ (୬୧), ସ୍ମିଥ (୩୫)ଙ୍କ ପରେ ୱାଦେଙ୍କ ୨୧ ବଲ୍ ୪୫* ରନ୍ ପାଳି ଅଷ୍ଟ୍ରେଲିଆକୁ ୪ ବଲ୍ ପୂର୍ବରୁ ୪ ୱିକେଟ୍ରେ ବିଜୟୀ କରିଥିଲା। ଅକ୍ଷର ପଟେଲ (୪-୦-୧୭-୩) ମିତବ୍ୟୟୀ ବୋଲିଂ ଭାରତ ପାଇଁ ସାନ୍ତ୍ବନା ଥିଲା।