ଦୀର୍ଘ ୮ ବର୍ଷ ପରେ ମଙ୍ଗଳଯାନ-୧ ମିଶନର ଅନ୍ତ

add-all

ନୂଆଦିଲ୍ଲୀ ୦୩/୧୦: ଦୀର୍ଘ ୮ ବର୍ଷ ପରେ ଭାରତର ପ୍ରଥମ ମଙ୍ଗଳଯାନ ଅଭିଯାନ ବା ମାର୍ସ ଅର୍ବିଟର ମିଶନ (ଏମ୍‌ଓଏମ୍‌) ର ଅନ୍ତ ଘଟିଛି। ଅର୍ବିଟର ମହାକାଶଯାନରୁ ଇନ୍ଧନ ଓ ବ୍ୟାଟେରୀ ଶେଷ ହେବା ପରେ ଭୂ-ପୃଷ୍ଠରେ ଥିବା ଷ୍ଟେସନ ସହିତ ତାର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ୨୦୧୩ ନଭେମ୍ବର ୫ରେ ପିଏସ୍‌ଏଲ୍‌ଭି ସି-୨୫ ରକେଟ ସହାୟତାରେ ୪୫୦ କୋଟି ଟଙ୍କାର ମାର୍ସ ଅର୍ବିଟର ମିଶନ ମହାକାଶଯାନକୁ ପ୍ରକ୍ଷେପଣ କରାଯାଇଥିଲା। ପ୍ରାୟ ୨୯୮ ଦିନ ଯାତ୍ରା ପରେ ୨୦୧୪ ସେପ୍ଟେମ୍ବର ୨୪ରେ ବୈଜ୍ଞାନିକମାନେ ପ୍ରଥମ ପ୍ରୟାସରେ ଏହାକୁ ମଙ୍ଗଳ ଗ୍ରହର କକ୍ଷପଥରେ ଅବସ୍ଥାପିତ କରାଇଥିଲେ।

ଲୋହିତ ଗ୍ରହ ମଙ୍ଗଳର ଭୂ-ପୃଷ୍ଠ, ସେଠାକାର ପରିବେଶ, ସେଠାରେ ଥିବା ଖଣିଜ ପଦାର୍ଥ ଓ ଏହାର ଆକୃତି ସମ୍ପର୍କରେ ତଥ୍ୟ ହାସଲ କରିବା ଥିଲା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ଥିବା ମାର୍ସ କଲର କ୍ୟାମେରା, ଥର୍ମାଲ ଇମ୍ଫ୍ରାରେଡ ଇମେଜିଂ ସ୍ପେକ୍ଟ୍ରୋମିଟର, ମିଥନେ ସେନ୍‌ସର ଅଫ ମାର୍ସ, ମାର୍ସ ଏକ୍ସଜୋସ୍ପେରିକ ନ୍ୟୁଟ୍ରାଲ କମ୍ପୋଜିସନ ଆନାଲାଇଜର ଓ ଲିମାନ ଆଲଫା ଫଟୋମିଟର ସହାୟତାରେ ମଙ୍ଗଳ ଗ୍ରହର ତଥ୍ୟ ସଂଗ୍ରହ କରାଯାଇଥିଲା।

ବିଶ୍ୱର ଚତୁର୍ଥ ତଥା ଏସିଆ ମହାଦେଶର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଏହି ସଫଳତା ହାସଲ କରିଥିଲା । ଏହାର ଜୀବନକାଳ ୬ ମାସ ରଖାଯାଇଥିଲା । କିନ୍ତୁ ଏହା ଦୀର୍ଘ ୮ ବର୍ଷ ହେଲା କାର୍ଯ୍ୟ କରିଆସୁଥିଲା। ଯାହାକି ଇସ୍ରୋ ବୈଜ୍ଞାନିକମାନଙ୍କୁ ଚକିତ କରିଦେଇଥିଲା । ଦୀର୍ଘ ୮ ବର୍ଷ କାଳ ଏହି ମହାକାଶଯାନ ମଙ୍ଗଳ ଗ୍ରହ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରେରଣ କରୁଥିଲା । ମଙ୍ଗଳର କକ୍ଷପଥରେ ଏମ୍‌ଓଏମ୍‌ ମହାକାଶଯାନକୁ ଇନ୍ଧନ ଯୋଗାଇବା ଲାଗି ଇସ୍ରୋ ବୈଜ୍ଞାନିକମାନେ ଆପ୍ରାଣ ଉଦ୍ୟମ କରିଥିଲେ । ମାତ୍ର ତାହା ସମ୍ଭବ ହୋଇନଥିଲା । ଭାରତର ପ୍ରଥମ ମଙ୍ଗଳ ଅଭିଯାନ ଶେଷ ହୋଇଥିବା ବେଳେ ଏବେ ଦ୍ୱିତୀୟ ଅଭିଯାନ ଉପରେ ଇସ୍ରୋ ବୈଜ୍ଞାନିକମାନଙ୍କ ଚେଷ୍ଟା ଜାରି ରହିବ ।

ad-week
Leave A Reply

Your email address will not be published.