
ଚାମୋଲି: ଦଶହରା ଅବସରରେ ଆଜି ସକାଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଔଲି ମିଲିଟାରି ଷ୍ଟେସନ୍ରେ ବିଧି ଅନୁସାରେ ‘ଶସ୍ତ୍ର ପୂଜା’ କରିଛନ୍ତି। ଏହି ପୂଜାରେ ସେନାମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏକମାତ୍ର ଦେଶ ଭାରତରେ ହିଁ ‘ଶାସ୍ତ୍ର’ ଓ ‘ଶସ୍ତ୍ର’ ପୂଜା କରାଯାଏ। ମୋର ଦୃଢ଼ ବିଶ୍ବାସ ଆମ ଦେଶ ବିଶ୍ବସ୍ତ ସଶସ୍ତ୍ର ବାହିନୀଦ୍ବାରା ସୁରକ୍ଷିତ। ସଶସ୍ତ୍ର ବାହିନୀ ଓ ପାରାମିଲିଟାରି ଫୋର୍ସର ଯବାନମାନେ ଆମ ଦେଶର ଗୌରବ।
ଉତ୍ତରାଖଣ୍ଡ ଅନ୍ତର୍ଗତ ଚୀନ୍ ସୀମାନ୍ତରେ ଥିବା ‘ଫର୍ୱାର୍ଡ ପୋଷ୍ଟ୍’ରେ ମୁତୟନ ହୋଇଥିବା ସେନା ଯବାନଙ୍କ ସହିତ ଆଳାପ କରିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଏହାଛଡ଼ା, ‘ଫର୍ୱାର୍ଡ’ ଅଞ୍ଚଳରେ ସେନା ବ୍ୟବହାର କରୁଥିବା ସଦ୍ୟତମ ଅସ୍ତ୍ରଶସ୍ତ୍ର ଓ ମେସିନ୍ଗୁଡ଼ିକ ପାଖକୁ ରାଜନାଥ ସିଂହ ଯାଇଥିଲେ।
ଏହି ଅବସରରେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ଟୁଇଟ୍ କରିଥିବା ଭିଡିଓରେ ଦେଖାଯାଉଛି, ସଶସ୍ତ୍ର ବାହିନୀ ଉପସ୍ଥିତିରେ ମନ୍ତ୍ରୋଚ୍ଚାରଣ ଚାଲିଥିବା ବେଳେ ରାଜନାଥ ସିଂହ ପୂଜାର୍ଚ୍ଚନା କରୁଛନ୍ତି। ଆଉ ଗୋଟାଏ ଭିଡିଓ କ୍ଲିପ୍ରେ, ଯବାନମାନେ ଦେଶାତ୍ମବୋଧକ ଗୀତ ଗାୟନ କରୁଥିବା ଦୃଶ୍ୟ ରହିଛି।
ସୂଚନାଯୋଗ୍ୟ, ଯବାନମାନଙ୍କ ସହିତ ବିଜୟାଦଶମୀ ପାଳିବା ପାଇଁ ମଙ୍ଗଳବାରଠାରୁ ରାଜନାଥ ସିଂହ ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ଏହା ପରେ ସେ ବଦ୍ରିଧାମରେ ପହଞ୍ଚି ବଦ୍ରିନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।
ମଙ୍ଗଳବାର ଦିନ ସେ ମଧ୍ୟ ଡେରାଡୁନ୍ରେ ସୈନିକମାନଙ୍କ ସହିତ ‘ବଡ଼ା ଖାନା’ ଖାଇଥିଲେ।
ଉଲ୍ଲେଖଯୋଗ୍ୟ, ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦଶହରା ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି: ବିଜୟର ସଙ୍କେତ ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ମୋର ଆଶା, ଏହି ପବିତ୍ର ଉତ୍ସବ ସମସ୍ତଙ୍କୁ ସାହସ, ସଂଯମ ଓ ସକାରାତ୍ମକ ଶକ୍ତି ଆଣି ଦେଉ।