ରାବଣ ନୁହେଁ ଇଡି, ସିବିଆଇର କୁଶପୁତ୍ତଳିକା ଦାହ

add-all

ଅହମ୍ମଦାବାଦ: ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ, ଅଧର୍ମ ଉପରେ ଧର୍ମ, ପାପ ଉପରେ ପୁଣ୍ୟ ଏବଂ ହିଂସା ଉପରେ ଅହିଂସାର ବିଜୟ ପ୍ରତୀକ ହେଉଛି ବିଜୟା ଦଶମୀ। ଲଙ୍କାପତି ରାବଣର କୁଶପୁତ୍ତଳିକା ଦାହ କରି ସାରା ଦେଶ ଦଶହରା ପାଳୁଥିବା ବେଳେ ଗୁଜରାଟରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଗୁଜରାଟର କୁଚ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ରାବଣ ବଦଳରେ ଇଡି, ସିବିଆଇର କୁଶପୁତ୍ତଳିକା ଦାହ କରି ବିଜୟା ଦଶମୀ ପାଳନ କରାଯାଇଛି।
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାବଣ ସହ ତୁଳୁନା କରି ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ। ଆଗକୁ ଗୁଜରାଟ ନିର୍ବାଚନ ଥିବାରୁ ସରଗରମ ହୋଇଛି ରାଜନୈତିକ ପାଣିପାଗ। କ୍ଷମତା ଦଖଲ ପାଇଁ ଆରମ୍ଭ ହୋଇଛି କସରତ ଓ ରଣନୀତି। ଏହି ଲଢ଼େଇରେ କଂଗ୍ରେସ ବି ପଛରେ ପଡ଼ିନି।
ବିଜୟା ଦଶମୀ ଅବସରରେ ଦରଦାମ ବୃଦ୍ଧି, ମୁଦ୍ରାସ୍ପୀତି, ଦୁର୍ବଳ ସ୍ୱାସ୍ଥ୍ୟ ସେବା, ଶିକ୍ଷାକୁ ବ୍ୟୟବହୁଳ କରିବା ଏବଂ ଜିଏସଟିକୁ ନେଇ କଂଗ୍ରେସ ସ୍ୱର ଉଠାଇଛି। କେନ୍ଦ୍ରର ବିଜେପି ସରକାର ଦେଶର ଏହି ସବୁ ସମସ୍ୟାକୁ ସମାଧାନ କାରିବା ବଦଳରେ ତଦନ୍ତକାରୀ ସଂସ୍ଥା ଇଡି ଏବଂ ସିବିଆଇକୁ ଢାଲ କରି ବିରୋଧୀଙ୍କ ସ୍ୱରକୁ ଦବେଇ ଦେବାକୁ ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି।

ad-week
Leave A Reply

Your email address will not be published.