
ମୁମ୍ବାଇ: ଫୋନ ଯୋଗେ ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଲୋକଙ୍କ ଧମକ ଦେଇଥିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୁଲିସ୍। ଅମ୍ବାନୀ ପରିବାରକୁ ଉଡ଼ାଇ ଦେବାର ଧମକ ଦେବା ଘଟଣାରେ ପୁଲିସ୍ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ବିହାରରୁ ଉଠାଇ ଆଣିଛି। ସ୍ଥାନୀୟ ପୁଲିସ୍ ସହାୟତାରେ ମୁମ୍ବାଇ ପୁଲିସ୍ ଏପରି ପଦକ୍ଷେପ ଗ୍ରହଣ କରିଛି।
ଜୋନାଲ ଡିସିପି ନୀଲୋଟପଲ କହିଛନ୍ତି, ରିଲାଏନ୍ସ ହସ୍ପିଟାଲ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ମିଳିଥିଲା। ଏହାକୁ ଗୁରୁତ୍ୱର ସହ ନେଇ ମୁମ୍ବାଇ ପୁଲିସ୍ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ଚାଲିଥିବା ବେଳେ ବିହାର ଲିଙ୍କ ସାମ୍ନାକୁ ଆସିଥିଲା। ଶେଷରେ ମୁମ୍ବାଇ ପୁଲିସ୍ର ଗୋଟିଏ ଟିମ୍ ରାତି ପ୍ରାୟ ୧ଟା ବେଳେ ବିହାରର ଦରଭଙ୍ଗାରେ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ପୁଲିସକୁ ସବୁ କଥା ଜଣାଇବା ପରେ ଦରଭଙ୍ଗାର ଗୋଟିଏ ବ୍ଲକରୁ ୩୦ ବର୍ଷୀୟ ରାକେଶ କୁମାର ମିଶ୍ରଙ୍କୁ ଗିରଫ କରାଯାଇଛି। ଏବେ ରାକେଶଙ୍କୁ ଜେରା କରାଯିବା ସହ ଘଟଣାର ଅଧିକ ତଦନ୍ତ କରାଯାଉଛି। ରାକେଶ ମିଶ୍ରଙ୍କୁ ମୁମ୍ବାଇର ଗୋଟିଏ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନିଆଯିବ।
ବୁଧବାର ଶ୍ରୀ ଏଚ୍ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ଦୁଇଟି ଧମକପୂର୍ଣ୍ଣ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ବିସ୍ଫୋରଣରେ ହସ୍ପିଟାଲ ସହ ଦକ୍ଷିଣ ମୁମ୍ବାଇରେ ଥିବା ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲା। ସେହିପରି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ବର୍ଗଙ୍କ ପାଖକୁ ମଧ୍ୟ ଧମକପୂର୍ଣ୍ଣ କଲ ଆସିଥିଲା।
ଉଭୟ କଲ୍ ଗୋଟିଏ ନମ୍ବରରୁ କରାଯାଇଥିଲା। ଏହାକୁ ନେଇ ଡିବି ମାର୍ଗ ପୁଲିସ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏବେ ପୁଲିସ୍ ରାକେଶ କୁମାର ମିଶ୍ରଙ୍କୁ ଏହି ଘଟଣାରେ ଗିରଫ କରିଛି।