
ମସ୍କୋ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଆଜି ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆମେରିକାର ଟେକ୍ କମ୍ପାନୀ ତଥା ଫେସବୁକ ଓ ଇନଷ୍ଟାଗ୍ରାମର ମୂଳ ସଂସ୍ଥା ମେଟାକୁ ଆଜି ରୁଷ ସରକାର ଆତଙ୍କବାଦୀ ଓ ବିଦ୍ରୋହୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି। ଫେଡରାଲ ସର୍ଭିସ ଫର ଫାଇନାନ୍ସିଆଲ ମନିଟରିଂର ଗୋଟିଏ ଡାଟାବେସ୍ରୁ ଏପରି କଥା ସାମ୍ନାକୁ ଆସିଛି।
ରୁଷ ମାର୍ଚ୍ଚ ମାସରେ ଦେଶ ବିରୋଧୀ କାମ ପାଇଁ ଫେସବୁକ ଓ ଇନଷ୍ଟାଗ୍ରାମ ଉପରେ ବ୍ୟାନ ଲଗାଇଥିଲା। ରୁଷ ପଡ଼ୋଶୀ ୟୁକ୍ରେନ ଉପରେ କରୁଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଫେସବୁକ ଓ ଇନଷ୍ଟାରେ ଅନେକ ମତ ପ୍ରକାଶ ପାଉଥିଲା। ଏହାକୁ ମେଟା ଜାଣିଶୁଣି ଅଣଦେଖା କରୁଥିଲା। ଏଥିରୁ ମେଟାର ରୁଷ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଥିବା କଥା ମସ୍କୋ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ସଂସ୍ଥାର ଦୁଇ ସୋଶାଲ ମିଡିଆ ଆପ୍ ଉପରେ ବ୍ୟାନ ଲଗା ଯାଇଥିଲା।
ରୁଷର ବ୍ୟାନ ଆଦେଶ ପରେ ମାର୍କ ଜୁକର୍ବଗଙ୍କ ମେଟା ଡରି ନଥିଲା। ରୁଷ ଅନୁପ୍ରବେଶକାରୀଙ୍କ ହତ୍ୟା ବୟାନକୁ ସଂସ୍ଥା ତା’ର ସୋଶାଲ ମିଡିଆ ପ୍ଲାଟଫର୍ମରେ ସ୍ଥାନ ଦେଇଥିଲା। ତେବେ ସାଧାରଣ ଲୋକଙ୍କ ବିରୋଧରେ ଆସୁଥିବା ବୟାନକୁ ସଂସ୍ଥା ବିରୋଧ କରିବ ବୋଲି କହିଥିଲା। ସେହିପରି ଏହି ନିୟମ କେବଳ ୟୁକ୍ରେନ ଭିତରୁ ପୋଷ୍ଟ କରୁଥିବା ଲୋକଙ୍କ ପାଇଁ ଲାଗୁ ହେବ ବୋଲି ମେଟା କହିଥିଲା।
ମାର୍ଚ୍ଚ ମାସରୁ ରୁଷରେ ଫେସବୁକ ଓ ଇନଷ୍ଟା ବ୍ୟାନ ହୋଇଥିଲେ ମଧ୍ୟ ଅନେକ ଲୋକ ଭିପିଏନ୍ ଆପ୍ ଦ୍ୱାରା ଏହାକୁ ବ୍ୟବହାର କରି ଚାଲିଛନ୍ତି। ଏଥିପାଇଁ ଆଜି ରୁଷ ସରକାର ମେଟାକୁ ଆତଙ୍କବାଦୀ ସଂଗଠନର ତାଲିକାରେ ସାମିଲ କରିଛନ୍ତି।
ପୂର୍ବରୁ ରୁଷ ଦକ୍ଷିଣପନ୍ଥୀ ଜାତୀୟତାବାଦୀ ସଂଗଠନ, ତାଲିବାନ ସମେତ ବିଦେଶୀ ଆତଙ୍କୀ ସଂଗଠନ ଓ ରୁଷ ବିରୋଧୀ ଗ୍ରୁପ୍କୁ ଆତଙ୍କବାଦୀ ଏବଂ ବିଦ୍ରୋହୀ ସଂଗଠନରେ ସାମିଲ କରିଥିଲା। ଏବେ ଏହି ତାଲିକାରେ ମେଟାକୁ ଯୋଡ଼ା ଯାଇଛି।
ରୁଷରେ ଫେସବୁକ ଅପେକ୍ଷା ଇନଷ୍ଟାଗ୍ରାମର ଚାହିଦା ଅଧିକ। ବିଭିନ୍ନ ବିଜ୍ଞାପନ ବିକ୍ରି ପାଇଁ ଲୋକମାନେ ଇନଷ୍ଟାକୁ ହିଁ ବ୍ୟବହାର କରନ୍ତି।