ତନ୍ତ୍ର ସାଧନା କରି ଝିଅକୁ ବଳି ଦେଲା ବାପା

add-all

ଅହମ୍ମଦାବାଦ: କେରଳରେ ଧନ ସମ୍ପତ୍ତି ଲୋଭରେ ଦମ୍ପତି ଦୁଇ ଜଣ ମହିଳାଙ୍କୁ ବଳି ଦେଇଥିବା ମାମଲା ଥଣ୍ଡା ନପଡୁଣୁ ଆଉ ଏକ ସମାନ ମାମଲା ଏବେ ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଜଣେ ବାପା ନିଜ ଜନ୍ମ କଲା ଝିଅକୁ ତନ୍ତ୍ର ସାଧନା କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗୁଜରାଟର ଗିର ସୋମନାଥ ଜିଲ୍ଲାର ଧାୱା ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଏଠାରେ ତାନ୍ତ୍ରିକ ବିଦ୍ୟା ଅଭ୍ୟାସ କରୁଥିବାବେଳେ ଜଣେ ବାପା ନିଜ ୧୪ ବର୍ଷୀୟ ଝିଅକୁ ବଳି ପକାଇଛି। ଝିଅ ଦେହରେ ଭୂତ ରହୁଥିବା ସନ୍ଦେହ କରି ତାକୁ ଘଉଡାଇବା ପାଇଁ ଅକ୍ଟୋବର ୧ରୁ ୭ ତାରିଖ ଯାଏଁ ପୂଜା ପାଠ କରିଥିଲା ଅଭିଯୁକ୍ତ ବାପା ଭାବେଶ।

ତେବେ ଏହି ସାତ ଦିନର ପୂଜା ପାଠ ବେଳେ ନିଜ ଝିଅକୁ ଅକଥନୀୟ ନିର୍ଯାତନା ଦେଇଥିଲା ବାପା। ନାବାଳିକା ଜଣକୁ ଠେଙ୍ଗାରେ ଅତି ନିର୍ମମ ଭାବେ ମାଡ ମରାଯାଉଥିଲା। ତାକୁ ଖାଇବାକୁ ଦିଆଯାଉନଥିଲା। ଶେଷରେ ସପ୍ତମ ଦିନ ଝିଅର ମୃତ୍ୟୁ ହୋଇଥିଲା। ଏହା ପରେ ଝିଅର ମୃତଦେହକୁ କମ୍ବଳ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଶ୍ମଶାନକୁ ନେଇ ଶବଦାହ କରାଯାଇଥିଲା। ଫଳରେ ଏହି ଘଟଣା ବିଷୟରେ କେହି ଜାଣି ପାରିନଥିଲେ। ଏସବୁ କାଣ୍ଡ ଘଟାଇବାରେ ଝିଅର ଦାଦା ମଧ୍ୟ ଅଭିଯୁକ୍ତ ବାପାର ସାଥ ଦେଇଥିଲା।

ତେବେ ଘଟଣାର କିଛି ଦିନ ପରେ ଭାବେଶ ତା’ ଝିଅକୁ ତନ୍ତ୍ର ସାଧନା କରି ହତ୍ୟା କରିଥିବା ନେଇ କେହି ଜଣେ ପୁଲିସକୁ ଫୋନ୍ କରି ଜଣାଇଥିଲେ। ପୁଲିସର ଏକ ଟିମ୍ ଗାଁରେ ପହଞ୍ଚି ଭାବେଶଙ୍କ ଘରେ ଛାନ ଭିନ୍ କରିଥିଲା। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗୁଣି ଗାରେଡି ତଥା ତନ୍ତ୍ର ସାଧନା କରି ନିଜ ୧୪ ବର୍ଷର ଝିଅ ଧୈର୍ଯ୍ୟକୁ ବାପା ଭାବେଶ ହତ୍ୟା କରିଛି। ହତ୍ୟା ପରେ ଝିଅକୁ ପ୍ରଥମେ ମାଟି ତଳେ ପୋତା ଯାଇଥିଲା। ଏହାପରେ ମାଟି ଭିତରୁ ବାହାର କରି ଝିଅର ଶବକୁ ପୋଡି ଦିଆଯାଇଛି। ଏହି ମାମଲରେ ପୁଲିସ ଅଭିଯୁକ୍ତ ବାପା ଭାବେଶ ଓ ତାଙ୍କ ଭାଇ ଦୀଲିପକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.