ପୁଣି ଫେରିଲା କରୋନା: ବନ୍ଦ ହେଲା ଅନେକ ସ୍କୁଲ, ଲାଗିଲା କଟକଣା

add-all

ସଙ୍ଘାଇ: ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ଚାଇନାର ପିଛା ଛାଡ଼ୁନି ଏହି ମାରାତ୍ମକ ଭାଇରସ। ପୁଣିଥରେ ଚାଇନାର ଅନ୍ୟତମ ବଡ଼ ସହର ସଙ୍ଘାଇକୁ କରୋନା ଫେରିଛି। ଏଠାରେ ବୁଧବାର ୩ ମାସ ମଧ୍ୟରେ ସବୁଠାରୁ ଅଧିକ ଦୈନକ ସଂକ୍ରମଣ ରେକର୍ଡ ହୋଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଏକାଧିକ ସ୍କୁଲକୁ ବନ୍ଦ କରି ଦିଆଯାଇଛି।

ସେହିପରି ସର୍ବସାଧାରଣ ସ୍ଥାନରେ କଟକଣା ଲଗାଯାଇଛି। ସଙ୍ଘାଇ ଚାଇନାର ଆର୍ଥିକ ପେଣ୍ଠସ୍ଥଳି। ଏଠାରେ ଚାଇନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୀତି ସମାବେଶ କିଛି ଦିନ ମଧ୍ୟରେ ହେବାର ଥିଲା। ହେଲେ କରୋନା ଏଥିରେ ପ୍ରତିବନ୍ଧକ ସାଜିଛି। ସଂଘାଇରେ ୩ଥର ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦେଶର ଶାସନ ଭାର ଦେବା ପାଇଁ ସମ୍ମିଳନୀ କରିବାକୁ ଯୋଜନା କରାଯାଇଥିଲା। ହେଲେ ଏବେ କରୋନା ଏହି ଯୋଜନାରେ ପାଣି ପକାଇ ଦେବା ଭଳି ଆଶଙ୍କା ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ସଙ୍ଘାଇ ସହରରୁ ୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ଜୁଲାଇ ୧୩ ପରେ ସବୁଠାରୁ ଅଧିକ। ଜୁଲାଇରେ ସଂକ୍ରମଣ ବଢ଼ିବାରୁ ବିଭିନ୍ନ ପ୍ରକାରର କଟକଣା ଲାଗୁ କରାଯାଇଥିଲା। ଏବେ ଲୋକଙ୍କ ମନରେ ପୁଣି ଲକଡାଉନର ଭୟ ସୃଷ୍ଟି ହୋଇଛି।

୪୭ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୨ ଜଣ ସଂଗରୋଧରୁ ଚିହ୍ନ ହୋଇଥିବା ବେଳେ ବାକି ସବୁ ସ୍ଥାନୀୟ ସଂକ୍ରମଣ। ଏହି ସ୍ଥାନୀୟ ସଂକ୍ରମଣ ହିଁ ଚିନ୍ତା ବଢ଼ାଇ ଦେଇଛି। ସଙ୍ଘାଇ ବ୍ୟତୀତ ବେଜିଂରୁ ମଧ୍ୟ ବୁଧବାର ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସଂଘାଇରେ ସଂକ୍ରମଣ ବଢ଼ୁଥିବାରୁ ଅନେକ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ସେହିପରି ୫ ଜିଲ୍ଲାରେ ଏଣ୍ଟରଟେନମେଣ୍ଟ ଭେନ୍ୟୁରେ ତାଲା ପକାଯାଇଛି। ଏହା ମଧ୍ୟରେ ସିନେମାଲ ହଲ, ଜିମ ଓ ବାର ଭଳି ସ୍ଥାନ ରହିଛି। ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଥିବା ପ୍ରଶାସନ କହିଛି। ରବିବାର ସଂକ୍ରମଣ ବଢ଼ୁଥିବାରୁ ସଂଘାଇରେ ଥିବା ସବୁ ସ୍କୁଲ ବନ୍ଦ ହେବ ବୋଲି ଗୋଟିଏ ଖବର ପ୍ରକାଶ ପାଇଥିଲା।

ହେଲେ ସ୍କୁଲ ବନ୍ଦ ହେବା ରିପୋର୍ଟରେ ସତ୍ୟତା ନଥିବା ସ୍ଥାନୀୟ ପ୍ରଶାସନ କହିଥିଲେ। ହେଲେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ସ୍କୁଲ ସଂକ୍ରମଣ ଭୟରେ ବନ୍ଦ ହେଉଥିବାରୁ ସଂଘାଇରେ ରହୁଥିବା ୨୫ ମିଲିୟନ ଲୋକଙ୍କ ମନରେ ଲକଡାଉନର ଆଶଙ୍କା ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.