ଆପାର୍ଟମେଣ୍ଟରେ ମାଡ଼ ହେଲା ଲଢ଼ୁଆ ବିମାନ, ୪ ମୃତ

add-all

ନୂଆଦିଲ୍ଲୀ: କ୍ରାଶ ହେଲା ରୁଷର ଲଢ଼ୁଆ ବିମାନ। ଇଞ୍ଜିନ ଖରାପ ଯୋଗୁ ଯୁଦ୍ଧ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଜନବସତି ଅଞ୍ଚଳରେ ମାଡ ହୋଇଛି। ଦକ୍ଷିଣ ରୁଷର ୟେସ୍କେ ସହରର ଆଜୋଫ ପୋର୍ଟରେ ଲୋକେ ରହୁଥିବା ଅଞ୍ଚଳରେ ବିମାନଟି କ୍ରାଶ୍ ହୋଇଛି। ଫଳରେ ଏକ ଆପର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ଏନେଇ ରୁଷ ସେନା ପକ୍ଷରୁ ସୂଚନା ଦିଆଯାଇଛି।
ଟେକ୍ ଅଫ୍ ସମୟରେ ଏସୟୁ-୩୪ ବୋମା ବର୍ଷଣକାରୀ ବିମାନର ଏକ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା ବୋଲି ରୁଷ ପ୍ରତିରକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି। ବିମାନରେ ଦୁଇ କ୍ରୁ ମେମ୍ବର ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ। କିନ୍ତୁ ବିମାନଟି ଜନବସତି ଏରିଆରେ କ୍ରାଶ୍ ହୋଇଥିବାରୁ ଏଥିରେ ବହୁ ପରିମାଣରେ ଇନ୍ଧନ ବାହାରି ପ୍ରଚଣ୍ଡ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ସହ ମିଶି ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କୁହାଯାଇଛି।
ଏହି ଘଟଣାରେ ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ଅନେକ ରୁମ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ଯୋଗୁ ଅତି କମ୍‌ରେ ୧୭ଟି ଆପାର୍ଟେମେଣ୍ଟ ଏଥିରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଟ୍ରେନିଂ ମିଶନ ପାଇଁ ବିମାନ ନିଆଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ୟେସ୍କର ସହରରେ ପ୍ରାୟ ୯୦ ହଜାର ଲୋକ ରହୁଥିବା ବେଳେ ଏକ ବଡ଼ ବିମାନ ବନ୍ଦର ରହିଛି।

ad-week
Leave A Reply

Your email address will not be published.