ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ ଚାଲି ଯିବାର ସମ୍ଭାବନା ଅଛି: ଭାରତୀୟ ପାଣିପାଗ ବିଭାଗ

add-all

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନରେ ବ‌ଙ୍ଗୋପସାଗର ଅନ୍ତର୍ଗତ ଆଣ୍ଡାମାନ ସାଗର ଓ ତତ୍‌ସଂଲଗ୍ନ ଜଳରାଶି ଉପରେ ସୃଷ୍ଟ ଲଘୁଚାପ ସମ୍ପୃକ୍ତ ଅଞ୍ଚଳରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଏହି ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଶନିବାର ସୁଦ୍ଧା ଗଭୀର ଅବପାତରେ ରୂପାନ୍ତର ହୋଇପାରେ। ପରେ ପରେ ଏହା ମୋଡ଼ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ଗତି କରି ସୋମବାର ବେଳକୁ ପଶ୍ଚିମକେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ତୀବ୍ର ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ। ଏହାପରେ, ଉକ୍ତ ସାମୁଦ୍ରିକ ବାତ୍ୟା ଧୀରେ ଧୀରେ ଉତ୍ତର-ଉତ୍ତରପୂର୍ବ ଦିଗ ଆଡ଼େ ଗତିଶୀଳ ହୋଇ ଓଡ଼ିଶା ଉପକୂଳ ପାଖ ଦେଇ ମଙ୍ଗଳବାର ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଅସରାଏ‌ ଲେଖାଁଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ, ଉତ୍ତରପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏଥିସହ, ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଆହୁରି ଅଧିକ ଅନୁକୂଳ ‌ହୋଇଛି।

ad-week
Leave A Reply

Your email address will not be published.