୧୫ଜଣଙ୍କୁ କାମୁଡିବା ପରେ ଧରାପଡ଼ିଲା ପାଗଳ ମାଙ୍କଡ

add-all

ହିଞ୍ଜିଳିକାଟୁ, ୨୩।୧୦ : ହିଞ୍ଜିଳିକାଟୁ ବନ ବିଭାଗ ଅଧିନ ତଥା ପୁରୁଷୋତ୍ତମପୁର ବ୍ଲକ ଯାମୁନୀ ଗ୍ରାମରେ ୧୫ ଜଣଙ୍କୁ ଖଣ୍ଡିଆ ଖାବରା କରି ଘାଇଲା କଲାରେ ରବିବାର ଧରାପଡିଛି ପାଗଳ ହନୁମାଙ୍କଡ। ପାଗଳ ହନୁମାଙ୍କଡ ଉପଦ୍ରବ ରେ ଗ୍ରାମରେ ଭୟ ସୃଷ୍ଟି ହୋଇଥିଲା। ଗତ ୧୫ ଦିନ ଧରି ପାଗଳ ହନୁମାଙ୍କଡଟି ମାଙ୍କଡ ମେଳରୁ ବାହାରି ଲୋକଙ୍କୁ ଅତର୍କିତ ଆକ୍ରମଣ କରୁଥିଲା। ମାଙ୍କଡକୁ କାବୁ କରିବା କଷ୍ଟକର ହୋଇଥିଲା। ମାଙ୍କଡକୁ କାବୁ କରିବା ପାଇଁ ଜନସାଧାରଣ ବନ ବିଭାଗକୁ ଜଣାଇଥିଲେ।
ବ୍ରହ୍ମପୁର ଡିଏଫଓଙ୍କ ନିର୍ଦ୍ଦେଶରେ ରେଞ୍ଜର ରଜତ କୁମାର ମିଶ୍ରଙ୍କ ନେତୃତ୍ୱରେ ବ୍ରହ୍ମପୁର ଓ ହିଞ୍ଜିଳିକାଟୁ ବନ ବିଭାଗର ଏକ ମିଳିତ ଟିମ୍ ଯାମୁନୀ ଗ୍ରାମରେ ପହଞ୍ଚି ଟ୍ରାଙ୍କୁଲାଇଜର ପ୍ରୟୋଗ କରି ଉପଦ୍ରବ କରୁଥିବା ହନୁମାଙ୍କଡକୁ କାବୁ କରିଥିଲେ। ଫଳରେ ଗ୍ରାମବାସୀମାନେ ଆଶ୍ବସ୍ତ ପ୍ରକାଶ କରିଛନ୍ତି। କାବୁ ହୋଇଥିବା ମାଙ୍କଡକୁ ଚିକିତ୍ସା ପରେ ଟାମଣା ଜଙ୍ଗଲରେ ଛଡାଯିବ ବୋଲି ହିଞ୍ଜିଳିକାଟୁ ଫରେଷ୍ଟ ପ୍ରଦୀପ କୁମାର ପଣ୍ଡା କହିଛନ୍ତି। ବନ ବିଭାଗ ଟିମ୍ରେ ବନ୍ୟ ପ୍ରାଣୀ ବିଶେଷଜ୍ଞ ଚନ୍ଦନ ଜାନି, ଶ୍ରୀକାନ୍ତ ପଢିଆରୀଙ୍କ ସହ ହିଞ୍ଜିଳିକାଟୁ ଓ ବ୍ରହ୍ମପୁର ବନ ବିଭାଗ କର୍ମଚାରୀ ଟିମରେ ସାମିଲ ଥିଲେ।

ad-week
Leave A Reply

Your email address will not be published.