
ଉମରକୋଟ : ଶାରଦୀୟ ଦୁର୍ଗା ପୂଜା ସରିବାର ବେଶ୍ କିଛି ସମୟର ବ୍ୟବଧାନ ନ ରହି ଧରାବତରଣ କରିଛନ୍ତି ଶକ୍ତିଙ୍କ ଅନ୍ୟ ରୂପ ଅର୍ଥାତ୍ ମାଆ କାଳୀ । ନବରଙ୍ଗପୁର ଜିଲ୍ଲାବାସୀ ମହାକାଳୀଙ୍କ ଆରାଧନା ବହୁ ଆଡମ୍ବର ସହ କରି ଧୂମଧାମରେ ପୂଜା ପାଳନ କରୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ୟୁ.ଭି.ନମ୍ବର ୫୨ ମିକ୍ସଫାର୍ମ ଗ୍ରାମରେ ଚଳିତ ବର୍ଷ ୩୨ ଫୁଟ ଉଚ୍ଚତା ବିଶିଷ୍ଟ ମା ମହାକାଳୀଙ୍କ ମୃମୟୀ ମୂର୍ତ୍ତୀ ପୂଜା ମଣ୍ଡପରେ ଶୋଭା ପାଉଛି । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାକାର ଶାକ୍ତ ଉପାସକମାନେ ଏହି ଉତ୍ସବ ପାଳନ କରି ଆସୁଛନ୍ତି । ଏହି ପୂଜା ନବରଙ୍ଗପୁରରେ ପାଳିତ ହେଉଥିବା ଉତ୍ସବ ଗୁଡ଼ିକ ମଧ୍ୟରୁ ଜିଲ୍ଲାର ଅନ୍ୟତମ ପୂଜା ଭାବେ ପରିଗଣିତ ହୋଇସାରିଥିବା ପରୀପ୍ରେକ୍ଷୀରେ ଉଦଘାଟନି ଉତ୍ସବରେ ଯୋଗଦାନ କରି ଫିତା କାଟିଥିଲେ ପୂର୍ବତନ ପୌର ଅଧ୍ୟକ୍ଷ ଶ୍ରୀ ଝାଡେଶ୍ୱର ମହାନ୍ତି ଏବଂ ବର୍ତ୍ତମାନର ପୌର ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି । ତେବେ ଚଳିତ ବର୍ଷ ପୂଜା ବଜାରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସୁଦୂର କୋଲକାତା ସହରରୁ ଆସିଥିବା ବିଶାଳ ମିନାବଜାର । ମହାରାଷ୍ଟ୍ର,ପାଖାନଜୋର ତଥା ମାଲକାନଗିରି ଠାରୁ ବିଭିନ୍ନ ପ୍ଲାଷ୍ଟିକ ଖେଳନା ସହିତ ଭଳିକି ଭଳି ଦୋକାନ ପୂଜା ବଜାରକୁ ଅଧିକ ଆକର୍ଷଣୀୟ କରିଛି । ୯ଦିନ ଧରି ନିରବଚ୍ଛିନ୍ନ ଭାବେ ଚାଲିବାକୁ ଥିବା ଏହି ପୂଜା ଦେଖିବା ପାଇଁ ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ କୋଲକାତାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି । ପୂଜା ପରିଚାଳନା କରୁଥିବା ଗ୍ରାମ୍ୟ ପଲ୍ଲୀ ମଙ୍ଗଳ ସମିତିର ମୁଖ୍ୟ ଦାୟିତ୍ୱରେ ଶ୍ରୀ ମାନସ ଭୌମିକ ଓ ଶ୍ରୀ ସୁକୁମାର ସରକାର କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ସ୍ଥାନୀୟ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ଜରିଆରେ ପ୍ରତିଦିନ ଭକ୍ତଙ୍କ ସମାଗମ ମଧ୍ୟରେ ଏହି ୯ଦିନ ଆନନ୍ଦ ଉଲ୍ଲସାରେ କଟିଯିବାର ଆଶା ପ୍ରତିପୋଷଣ କରିଛନ୍ତି ଆୟୋଜକ ପୂଜା କମିଟି ।