ଛିଣ୍ଡି ପଡ଼ିଥିବା ଝୁଲାପୋଲ ପାଖରେ ମୋଦି, କମ୍ପାନୀ ନାଁକୁ ଲୁଚା ଗଲା

add-all

ମୋର୍ବି: ଗୁଜରାଟର ମୋର୍ବିଠାରେ ଛିଣ୍ଡି ପଡ଼ିଥିବା ଝୁଲାପୋଲ ପାଖରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁ ସ୍ଥାନରେ ପୋଲ ଛିଣ୍ଡି ୧୩୫ ଜଣ ଲୋକ ରବିବାର ସନ୍ଧ୍ୟାରେ ପ୍ରାଣ ହରାଇଥିଲେ, ସେହି ସ୍ଥାନରେ ଆଜି ମୋଦି ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅଧିକାରୀମାନେ ମଧ୍ୟ ତାଙ୍କୁ ଘଟଣା ସମ୍ପର୍କରେ ଭଲ ଭାବେ ବୁଝାଇଛନ୍ତି। ଏଥିସହ ମାଛୁ ନଦୀରେ ରବିବାର ଠାରୁ ଜାରି ରହିଥିବା ସର୍ଚ୍ଚ ଅପରେସନ ସମ୍ପର୍କରେ ମଧ୍ୟ ମୋଦି ସେନା କର୍ମଚାରୀଙ୍କ ଠାରୁ ପଚାରି ବୁଝିଛନ୍ତି।

ତେବେ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରିଟିଶ ଅମଳର ଝୁଲାପୋଲର ମରାମତି ଦାୟିତ୍ୱ ପାଇଥିବା କମ୍ପାନୀର ନାଁକୁ ଘୋଡ଼ାଇ ଦିଆଯାଇଛି। ପୋଲର ବିଭିନ୍ନ ସ୍ଥାନରେ ଏହାର ମରାମତି କରିଥିବା ଓରେଭା ଗ୍ରୁପର ଲୋଗ ଲାଗିଥିଲା। କିନ୍ତୁ ଏହାକୁ ଧଳା ପ୍ଲାଷ୍ଟିକ ଶିଟ୍‌ ଦ୍ୱାରା ଘୋଡ଼ାଇ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ନଜର ଯେମିତି କମ୍ପାନୀ ନାଁ ଉପରେ ନ ପଡ଼ିବ, ସେଥିପାଇଁ ପ୍ରସାଶନ ଏପରି ବ୍ୟବସ୍ଥା କରିଥିବା କୁହାଯାଉଛି। ଧଳା ପ୍ଲାଷ୍ଟିକ ଶିଟ୍‌ରେ କମ୍ପାନୀର ନାଁକୁ ଘୋଡ଼ା ଯାଇଥିବା ପୋଲ ଆରମ୍ଭର ଗୋଟିଏ ପାର୍ଶ୍ୱରେ ମୋଦି ଛିଡ଼ା ହୋଇ ସ୍ଥିତି ସମୀକ୍ଷା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ପରେ ଆହତମାନଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଛନ୍ତି। ମୋଦିଙ୍କ ହସ୍ପିଟାଲ ଗସ୍ତକୁ ଦୃଷ୍ଟିରେ ରଖି ରାତାରାତି ୪୦ ଜଣ ପେଣ୍ଟରଙ୍କୁ ଧରି ପ୍ରଶାସନ ପୂରା ହସ୍ପିଟାଲକୁ ରଙ୍ଗ କରିଛି। ସେହିପରି ନୂଆ ବେଡ୍‌ ମଧ୍ୟ ହସ୍ପିଟାଲରେ ପକା ଯାଇଛି। ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ’ଣ କହିବାକୁ ପଡ଼ିବ, ସେକଥା ବୁଝାଯାଇଛି ବୋଲି ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି।

ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବା ବେଳେ ଏପରି ବ୍ରିଜ ଭୁଶୁଡ଼ିବା ଘଟଣା କ୍ଷମତାସୀନ ବିଜେପିକୁ ଅଡ଼ୁଆରେ ପକାଇଛି। ବିରୋଧୀ କଂଗ୍ରେସ ଓ ଆପ୍‌ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲଙ୍କ ଇସ୍ତଫା ମଧ୍ୟ ଦାବି କରୁଛନ୍ତି। ଏହାକୁ ନେଇ ବିଜେପି ସାମାନ୍ୟ ବ୍ୟାକଫୁଟରେ ରହିଛି।

ଝୁଲାପୋଲର ମରାମତି ପାଇଁ ଏହାକୁ ମାର୍ଚ୍ଚ ମାସରୁ ବନ୍ଦ ରଖାଯାଇଥିଲା। କିଛି ଦିନ ତଳେ ହିଁ ଏହା ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା। ତେବେ ଖୋଲା ଯିବାର ୪ ଦିନ ପରେ ଅର୍ଥାତ ରବିବାର ଏହା ଛିଣ୍ଡି ପଡ଼ିଛି। ଘଟଣା ବେଳେ ପୋଲ ଉପରେ ପ୍ରାୟ ୫୦୦ ଜଣ ଲୋକ ଥିଲେ। ହଠାତ ଏହା ଛିଣ୍ଡି ପଡ଼ିବାରୁ ସମସ୍ତେ ମାଛୁ ନଦୀରେ ଖସି ପଡ଼ିଥିଲେ। ଏଯାଏ ୧୩୫ ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଏବେ କିଛି ଲୋକ ନିଖୋଜ ଥିବା କୁହାଯାଉଛି। ତେଣୁ ସେନା ଓ ଏନଡିଆରଏଫ ଟିମ ନଦୀରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ମୃତ ୧୩୫ ଜଣଙ୍କ ମଧ୍ୟରେ ଛୋଟ ପିଲାଙ୍କ ସଂଖ୍ୟା ୪୭।

ad-week
Leave A Reply

Your email address will not be published.