ଡିସେମ୍ବର ୧ ଓ ୫ରେ ଗୁଜରାଟ ବିଧାନସଭା ନିର୍ବାଚନ; ୮ରେ ଭୋଟ୍‌ ଗଣନା: ନିର୍ବାଚନ କମିସନ୍‌

add-all

ନୂଆଦିଲ୍ଲୀ: ଡିସେମ୍ବର ୧ ଓ ୫ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ଏବଂ ଡିସେମ୍ବର ୮ ତାରିଖ ଦିନ ଭୋଟ୍‌ ଗଣନା କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର କହିଛନ୍ତି।

ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ ରାଜୀବ କୁମାର ମୋର୍‌ବୀ ପୋଲ୍‌ ଭାଙ୍ଗିପଡ଼ିବାଜନିତ ମୃତବ୍ୟକ୍ତିଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।

ଗୁଜରାଟ ରାଜ୍ୟର ୧୮୨ଟି ବିଧାନସଭା ଆସନ ନିମନ୍ତେ ୫୧,୭୮୨ଟି ପୋଲ୍‌ ଷ୍ଟେସନ୍‌ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେଥିରୁ ୧,୨୭୪ଟି ପୋଲ୍‌ ଷ୍ଟେସନ୍‌ ସମ୍ପୂର୍ଣ୍ଣରୂପେ ମହିଳା ପୋଲିଙ୍ଗ୍‌ ଓ ମହିଳା ନିରାପତ୍ତା କର୍ମଚାରୀମାନଙ୍କଦ୍ବାରା ପରିଚାଳିତ ହେବ।

ସେହିପରି, ୮୦ ବର୍ଷରୁ ଅଧିକ ବୟସର ଭୋଟ୍‌ଦାତାମାନଙ୍କ ନିମନ୍ତେ ‘ହୋମ୍‌ ଭୋଟିଙ୍ଗ୍‌’ ସୁବିଧା କରାଯିବ ବୋଲି ମଧ୍ୟ ନିର୍ବାଚନ କମିସନର୍‌ କହିଛନ୍ତି।
ଗିର୍‌ ସୋମନାଥ ଜିଲ୍ଲାରେ ସିଦ୍ଦିମାନଙ୍କ ପାଇଁ ବି ପୋଲ୍ ଷ୍ଟେସନ୍‌ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗିର୍‌ ସୋମନାଥ ଜିଲ୍ଲାର ମଧୁପୁର ଜମ୍ବୁରରେ ସିଦ୍ଦିମାନଙ୍କ ପାଇଁ ପୋଲିଙ୍ଗ୍‌ ଷ୍ଟେସନ୍‌ ଗଠନ କରାଯିବ। ସିଦ୍ଦିମାନେ ହେଉଛନ୍ତି ୧୪ଶରୁ ୧୭ଶ ଶତାବ୍ଦୀ ମଧ୍ୟରେ ଭାରତକୁ ଆସି ବସବାସ କରୁଥିବା ପୂର୍ବ ଆଫ୍ରିକୀୟ ବଂଶୋଦ୍ଭବ। ସେମାନେ ମଧ୍ୟ ଆମର ଗୌରବାନ୍ବିତ ଭୋଟ୍‌ଦାତା।

ସମଗ୍ର ଭୋଟ୍‌ ପ୍ରକ୍ରିୟାରେ ତୃତୀୟ ଲିଙ୍ଗ ଭୋଟର୍‌ମାନଙ୍କ ଅଂଶ ଗ୍ରହଣ ଉପରେ ନିର୍ବାଚନ କମିସନ୍‌ ବିଶେଷ ଗୁରତ୍ବାରୋପ କରିଥିବା କଥା ଜଣାପଡ଼ିଛି। ନିର୍ବାଚନ କମିସନର୍‌ କହିଛନ୍ତି, ଏନ୍‌ରୋଲ୍‌ମେଣ୍ଟ୍‌ ସୁବିଧା ନିମନ୍ତେ ଜିଲ୍ଲାୱାରି ବିଶେଷ ଶିବିର ଆୟୋଜନ କରାଯାଇଛି। ଗୁଜରାଟରେ ୨୦୧୭ ତୁଳନାରେ ୨୦୨୨ରେ ପଞ୍ଜିକୃତ ତୃତୀୟ ଲିଙ୍ଗ ଭୋଟର୍‌ଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି।

ପ୍ରାର୍ଥୀ ଓ ରାଜନୈତିକ ଦଳମାନଙ୍କ ଲାଗି ‘ଇସିଆଇ ସୁବିଧା ପୋର୍ଟାଲ୍‌’ରେ ଅନ୍‌ଲାଇନ୍‌ ପ୍ରାର୍ଥୀପତ୍ର ଏବଂ ସତ୍ୟପାଠ ଦାଖଲ ବ୍ୟବସ୍ଥା କରାଯାଇଛି। ରାଲି, ସାଧାରଣ ସଭା ଆଦି ପାଇଁ ମଧ୍ୟ ଏହି ପୋର୍ଟାଲ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିହେବ ବୋଲି ଭାରତର ନିର୍ବାଚନ କମିସନ୍‌ ସୂଚନା ଦେଇଛି।

ad-week
Leave A Reply

Your email address will not be published.