ଆଇସିସି ଟ୍ବେଣ୍ଟି-୨୦: ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ

add-all

ସିଡନି: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନର ଜବରଦସ୍ତ ବିଜୟ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସୁପର୍‌-୧୨ର ଗ୍ରୁପ୍‌-୨କୁ ଏକପ୍ରକାର ଉନ୍ମୁକ୍ତ କରି ଦେଇଛି। ଏଣିକି କୌଣସି ପ୍ରକାର ବିପର୍ଯ୍ୟୟ ସମ୍ପୃକ୍ତ ଦଳକୁ ବିଦାୟ ରାସ୍ତା ଦେଖାଇଦେବାର ସମ୍ଭାବନା ଆଣିଛି। ଗୁରୁବାର ଦକ୍ଷିଣ ଆଫ୍ରିକାକୁ ପାକିସ୍ତାନ ୩୩ ରନ୍‌ରେ (ଡିଏଲ୍‌) ହରାଇ ଦେଇଥିଲା। ଫଳରେ ପଞ୍ଚମ ସ୍ଥାନରୁ ତୃତୀୟକୁ ଲମ୍ଫ ମାରିଛି। ଏଥିସହିତ ପାକିସ୍ତାନ ନିଜର କ୍ଷୀଣ ସେମିଫାଇନାଲ୍ ସମ୍ଭାବନାକୁ ମଧ୍ୟ କାଏମ ରଖିଛି। ଗ୍ରୁପ୍‌-୨ରେ ଏ ପର୍ଯ୍ୟନ୍ତ କୌଣସି ଦଳ ସେମିଫାଇନାଲ୍ ସୁଯୋଗକୁ ସ୍ପଷ୍ଟ କରିନାହାନ୍ତି। ପଏଣ୍ଟ ଟେବୁଲର ଶୀର୍ଷ ୨ ସ୍ଥାନରେ ରହି ଭାରତ ଓ ଦକ୍ଷିଣ ଆଫ୍ରିକା କିନ୍ତୁ ସେମିଫାଇନାଲ୍ ଯିବାର ଦୃଢ଼ ଦାବିଦାର ଅଛନ୍ତି। ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମୁକାବିଲା ଗୁଡିକରେ ରବିବାର ଭାରତ-ଜିମ୍ବାୱେ, ପାକିସ୍ତାନ-ବାଂଲା‌ଦେଶ ଓ ଦକ୍ଷିଣ ଆଫ୍ରିକା-ନେଦରଲାଣ୍ଡ୍ସ ମୁହାଁମୁହିଁ ହେବେ।

ସିଡ୍‌ନି କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଗୁରୁବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମହମ୍ମଦ ହାରିସ୍‌ (୧୧ ବଲରୁ ୨୮ ରନ୍‌)ଙ୍କ ପ୍ରତି ଅକ୍ରମଣ ସତ୍ତ୍ବେ ପାକିସ୍ତାନ ୪୩/୪ରେ ସଂଘର୍ଷ କରୁଥିଲା। ପରେ ମହମ୍ମଦ ନୱାଜ (୨୨ ବଲ୍‌ରୁ ୨୮ ରନ୍‌) ମଧ୍ୟ ସାମୟିକ ଲଢ଼ିଥିଲେ। ନୱାଜଙ୍କ ୱିକେଟ୍ ପତନ ସହିତ ପାକିସ୍ତାନ ୧୩ ଓଭର ସୁଦ୍ଧା ୯୫/୫ ସ୍ଥିତିରେ ରହିଥିଲା। ଏହି ସମୟରେ ଇଫତିକାର ଅହମ୍ମଦ (୩୫ ବଲ୍‌ରୁ ୫୧ ରନ୍‌, ୩ ଚୌକା, ୨ ଛକା) ଏବଂ ସଦାବ ଖାନ୍‌ (୨୨ ବଲ୍‌ରୁ ୫୨ ରନ୍‌, ୩ ଚୌକା, ୪ ଛକା) ପାକିସ୍ତାନ ପାଳିକୁ ନୂଆ ଦିଶା ଦେଇଥିଲେ। ଉଭୟ ୫.୫ ଓଭରରେ ୮୨ ରନ୍‌ ଯୋଡ଼ି ସବୁ ଓଲଟପାଲଟ୍ କରିଦେଇଥିଲେ। କ୍ୟାଚ୍‌ ଛାଡ଼ିବା ସହ ଦୁର୍ବଳ ଫିଲ୍ଡଡିଂ କରିବା ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ୍‌ ଛଡ଼ା କରିଥିଲା। ବାବର ଆଜମଙ୍କ ବ୍ୟକ୍ତିଗତ ବିଫଳତା ଜାରି ରହିଥିଲେ ମଧ୍ୟ ତାଙ୍କ ଦଳ ୧୮୫ ରନ୍‌ର ଲଢ଼ୁଆ ସ୍କୋର ଛିଡ଼ା କରି ନେଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନରିକ୍ ନର୍ଖିୟା (୪/୪୧) ସଫଳ ବୋଲର ଥିଲେ।

ଜବାବରେ ଅଧିନାୟକ ତେମ୍ବା ବାଭୂମା (୧୯ ବଲ୍‌ରୁ ୩୬ ରନ୍) ନିଜ ୨୦୨୨ ମସିହା ନିଜ ଶ୍ରେଷ୍ଠ ପାଳି ଖେଳିଥିଲେ ମଧ୍ୟ ଅନ୍ୟ କେହି ତିଷ୍ଠିନଥିଲେ। ସାହିନ୍ ସାହା ଆଫ୍ରିଦି ଏବଂ ସଦାବ ଖାନ୍‌ ମିଳିତ ଭାବେ ୫ ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାର ସର୍ବାଧିକ କ୍ଷତି ଘଟାଇଥିଲେ। ବର୍ଷା ମଧ୍ୟ ଶେଷକୁ ଦକ୍ଷିଣ ଆଫ୍ରିକା ଉପରେ ଦାଉ ସାଧିଥିଲା। ୯ ଓଭର ବେଳକୁ ବାଭୂମାଙ୍କ ଦଳ ୬୯/୪ରେ ସଂଘର୍ଷ କରୁଥିବା ବେ‌ଳେ ବର୍ଷା ପାଇଁ ଘଣ୍ଟାଏ ମ୍ୟାଚ୍‌ ଅଟକିଯାଇଥିଲା। ବର୍ଷା ଛ‌ାଡ଼ିବା ପରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪ ଓଭରରୁ ୧୪୨ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଅର୍ଥାତ୍ ଦକ୍ଷିଣ ଆଫ୍ରିକାକୁ ଅବଶିଷ୍ଟ ୫ ଓଭରରୁ ୭୩ ରନ୍‌ ଆବଶ୍ୟକ ପଡ଼ିଥିଲା। ୱିକେଟ୍ ପତନ ଧାରା ଜାରି ରହିବାରୁ ଏହି ଦଳ ୧୦୮/୯ରେ ସୀମିତ ରହିଥିଲା। ଆଫ୍ରିଦି ୩ ୱି‌କେଟ୍ ଅକ୍ତିଆର କରିଥିଲେ। ସଦାବ ଖାନ୍ କିନ୍ତୁ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ (୫୨ ରନ୍‌ ଏବଂ ୨/୧୧୬) କରିଥିବାରୁ ଲଗାତାର ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସମସ୍ତ ୪ ମୁକାବିଲା ଜିତି ଅପରାଜେୟ କୀର୍ତ୍ତିକୁ ଆଗକୁ ବଢ଼ାଇଛି ପାକିସ୍ତାନ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୨୦ ଓଭରରେ ୧୮୫/୯ (ସଦାବ ଖାନ୍‌-୫୨, ଇଫ୍‌ତିକାର ଅହମ୍ମଦ-୫୧, ଅନରିକ୍ ନର୍ଖିୟା-୪/୪୧, ୱେନ୍ ପାର୍ଣ୍ଣେଲ୍‌-୧/୩୧, ତାବ୍ରାଇଜ ସାମସୀ-୧/୩୬, ଲୁଙ୍ଗି ଏନ୍‌ଗିଡି-୧/୩୨, କାଗିସୋ ରବାଦା-୧/୪୪)। ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୧୦୯/୯ (ତେମ୍ବା ବାଭୂମା-୩୬, ଏୖଦେନ ମର୍କରାମ-୨୦, ସାହିନ ସାହା ଆଫ୍ରିଦି-୩/୧୪, ସଦାବ ଖାନ୍‌-୨/୧୬, ମହମ୍ମଦ ୱାସିମ୍ ଜୁନିୟର୍‌-୧/୧୩, ନସିମ୍ ସାହା-୧/୧୯, ହାରିସ୍ ରୌଫ-୧/୪୪)।

ad-week
Leave A Reply

Your email address will not be published.