ହିମାଚଳ ପାଇଁ ବିଜେପିର ସଙ୍କଳ୍ପ, ଜିତିଲେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ

add-all

ନୂଆଦିଲ୍ଲୀ: ପାଖେଇ ଆସୁଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ତାରିଖ ଘୋଷଣା ହେବା ପରେ ଉଭୟ ଶାସକ ବିଜେପି ଓ ବିରୋଧୀ ଦଳ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗି ପଡିଛନ୍ତି। ଗତକାଲି କଂଗ୍ରେସ ତରଫରୁ ସଂକଳ୍ପ ପତ୍ର ଜାରି କରାଯାଇଥିବା ବେଳେ ଆଜି ବିଜେପି ବି ସଂକଳ୍ପପତ୍ର ଜାରି କରିଛି।

ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ୟୁନିଫର୍ମ ସିଭିଲ୍ କୋଡ୍ ନିୟମ ଲାଗୁ କରାଯିବ ବୋଲି ବିଜେପି କହିଛି। କେବଳ ହିମାଚଳ ପ୍ରଦେଶରେ ନୁହେଁ, ଆସନ୍ତା ମାସ ନିର୍ବାଚନ ହେବାକୁ ଥିବା ଗୁଜରାଟରେ ମଧ୍ୟ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ତା ସହିତ ଉତ୍ତର ପ୍ରଦେଶ ଭଳି ହିମାଚଳ ପ୍ରଦେଶରେ ୱାକଅଫ୍ ବୋର୍ଡର ସମ୍ପତ୍ତିର ସର୍ଭେ କରାଯିବ ବୋଲି ବିଜେପି କହିଛି।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସଂକଳ୍ପପତ୍ର ଜାରି କରି କହିଛନ୍ତି କି, ବିଜେପି ସରକାର ପୁଣି ଆସିଲେ ରାଜ୍ୟରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ। କେବଳ ଏତିକି ନୁହେଁ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୮ ଲକ୍ଷ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟପଟେ ରାଜ୍ୟରେ ଆଉ ୫ ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ବିଜେପି ତାର ସଂକଳ୍ପପତ୍ରରେ ଉଲ୍ଲେଖ କରିଛି।

ବିଜେପି କହିଛି କି ସରକାର ଗଠନ ହେବା ପରେ ରାଜ୍ୟର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ କିସାନନିଧି ଯୋଜନାରେ ମୁଖ୍ୟମନ୍ତ୍ରୀ ଯୋଜନାକୁ ଯୋଡି ବାର୍ଷିକ ଅଧିକ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପ୍ରତି ବିଧାନସଭା କ୍ଷେତ୍ରରେ ମୋବାଇଲ କ୍ଲିନିକ ଖୋଲାଯିବ। ଏହାସହ ୧୨ ହଜାର କୋଟି ଟଙ୍କା ବିନିଯୋଗରେ ଧାର୍ମିକ ସ୍ଥଳର ଉନ୍ନତି କରାଯିବ।

ad-week
Leave A Reply

Your email address will not be published.