ଟି-୨୦ ବିଶ୍ବକପ୍‌: ଜିମ୍ବାୱେକୁ ପରାସ୍ତ କରି ଗ୍ରୁପ ଶୀର୍ଷରେ ଭାରତ, ସେମିଫାଇନାଲରେ ଇଂଲଣ୍ଡକୁ କରିବ ମୁକାବିଲା

add-all

ମେଲ୍‌ବର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରବିବାର ଜିମ୍ବାୱେକୁ ଭାରତ ୭୧ ରନ୍‌ରେ ପରାସ୍ତ କରିଛି। ମେଲ୍‌ବର୍ଣ୍ଣର ଐତିହାସିକ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୮୬ ରନ୍‌ ସଂଗ୍ରହ କରିଥିଲା। ଫଳରେ ଜିମ୍ବାୱେକୁ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ଟିମ୍‌ ଇଣ୍ଡିଆର ପ୍ରଭାବଶାଳୀ ବ୍ୟାଟିଂ ବଳରେ ଜିମ୍ବୱେର ବ୍ୟାଟରମାନେ ଜଣକ ପରେ ଜଣେ ଆତ୍ମସମର୍ପଣ କରିଥିଲେ। ପୂରା ଟିମ୍‌ ୧୭.୨ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ୍‌ ସଂଗ୍ରହ କରିପାରିଥିଲେ। ଏହି ବିଜୟର ସହିତ ସୁପର-୧୨ ଷ୍ଟେଜ‌ର ନିଜ ଗ୍ରୁପରେ ଭାରତ ଶୀର୍ଷରେ ସ୍ଥାନ ପାଇଛି। ଭାରତ ଆସନ୍ତା ୧୦ ତାରିଖରେ ଆଡିଲେଡରେ ଇଂଲଣ୍ଡକୁ ଭେଟିବ।
ଜିମ୍ବାୱେର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ଦେଖାଯାଇଥିଲା। ପ୍ରଥମ ବଲ୍‌ରେ ଓପନର ୱେସଲି ମାଧଭେରେ ଆଉଟ ହୋଇ ପାଭଲିଅନ ଫେରିଥିଲେ। ଦ୍ବିତୀୟ ଓଭରର ୪ର୍ଥ ବଲରେ ଦଳ ରେଜିସ ଚକାଭାଙ୍କୁ ହରାଇଥିଲା। ଜିମ୍ବୱେ ୨ ରନ୍‌ ବେଳକୁ ୨ଟି ୱିକେଟ୍‌ ହରାଇଥିଲା ବେଳେ ୭.୩ ଓଭରରେ ୩୬ ରନ୍‌ ବେଳକୁ ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା। ୩ ଜଣ ଖେଳାଳି କୌଣସି ରନ୍‌ ନ କରି ଆଉଟ୍‌ ହୋଇଥିଲେ। ସେହିପରି ୨ ଜଣ ବ୍ୟାଟର ୫ ଓ ୪ ରନ୍‌ କରିଥିଲେ।

ଜିମ୍ବାୱେ ପାଇଁ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ ରୢାନ୍‌ ବୁର୍ଲ। ସେ ୨୨ଟି ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସିକନ୍ଦର ରାଜା ବ୍ୟକ୍ତିଗତ ଭାବେ ୩୪ ରନ୍‌ ସଂଗ୍ରହ କରିଥିଲେ। ସେ ୨୪ଟି ବଲ୍‌ ଖେଳି ୩ଟି‌ ଚୌକା ସହାୟତାରେ ଏହି ରନ୍‌ କରିଥିଲେ। ଅଧିନାୟକ କ୍ରେଗ୍‌ ଏର୍ଭିନ ୧୩ ରନ୍‌ ଓ ସିନ୍‌ ୱିଲିୟମ୍ସ ୧୧ ରନ୍‌ କରିଥିଲେ। ଭାରତ ପାଇଁ ରବିଚନ୍ଦ୍ରନ ଅଶ୍ବିନ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ମହମ୍ମଦ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨-୨ ୱିକେଟ୍‌ ମିଳିଥିଲା ବେଳେ ଭୁବନେଶ୍ବର କୁମାର, ଅର୍ଶଦୀପ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।
ପ୍ରଥମ ଇନିଂସରେ ଭାରତର ପାଳି ଆରମ୍ଭ କରିଥିଲେ କେଏଲ୍‌ ରାହୁଲ ଓ ରୋହିତ ଶର୍ମା। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୨୭ ରନ୍‌ ଯୋଡ଼ିଥିଲେ। ‌ରୋହିତ ଶର୍ମା ୧୩ଟି ବଲ୍‌ ଖେଳି ୧୫ ରନ୍‌ ସଂଗ୍ରହ କରିଥିଲେ। କେଏଲ୍‌ ରାହୁଲ ଓ ବିରାଟ କୋହଲି ୨ୟ ୱିକେଟ୍‌ ପାଇଁ ୬୦ ରନ୍‌ ସଂଗ୍ରହ କରିଥିଲେ। କୋହଲି ବ୍ୟକ୍ତିଗତ ଭାବେ ୨୫ଟି ବଲ୍‌ ଖେଳି ୨୬ ରନ୍‌ କରିଥିଲେ। ଏଥିରେ‌ ସେ ୨ଟି ଚୌକା ମାରିଥିଲେ। ତେବେ ଭାରତର ‌ସ୍କୋରରେ ‌ଓପନର କେଏଲ୍‌ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଭୂମିକା ରହିଥିଲା। ଉଭୟ ବ୍ୟାଟର ୧୧୨ ରନ୍‌ ସଂଗ୍ରହ କରିଥିଲେ। ରାହୁଲ ୩୫ଟି ବଲ୍‌ ଖେଳି ୫୧ ରନ୍‌ ସଂଗ୍ରହ କରିଥିଲେ। ସେ ୩ଟି‌ ଚୌକା ଓ ୩ଟି ଛକା ମଧ୍ୟ ମାରିଥିଲେ। ସେହିପରି ଯୁବ ବ୍ୟାଟର ସୂର୍ଯ୍ୟକୁମାର ୨୫ଟି ବଲ୍‌ ଖେଳି ୬ଟି ଚୌକା ଓ ୪ଟି ଛକା ସହାୟତାରେ ଅପରାଜିତ ରହି ୬୧ ରନ୍‌ ‌କରିଥିଲେ। ରିଷଭ ପନ୍ତ ୩ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍‌ କରିଥିଲେ।

ଜି‌ମ୍ବାୱେ ପକ୍ଷରୁ ସିଆନ୍‌ ୱିଲିୟମ୍‌ ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲା ବେଳେ ରିଚାର୍ଡ ନାଗାର୍ଭା, ବ୍ଲେସିଂ ମୁଜାରୱାନୀ ଓ ସିକନ୍ଦର ରାଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ad-week
Leave A Reply

Your email address will not be published.