ରାହୁଲ ଗାନ୍ଧି ଏବଂ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେଇପାରିବେ: ସଞ୍ଜୟ ରାଉତ

add-all

ମୁମ୍ବାଇ : ରାହୁଲ ଗାନ୍ଧୀ ଏବଂ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେଇପାରିବେ। ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ଏହା କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡା ଯାତ୍ରା ବର୍ତ୍ତମାନ ମହାରାଷ୍ଟ୍ରରେ ଚାଲିଛି। ଏହି ସମୟରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା ନେତା ଆଦିତ୍ୟ ଠାକରେ ଭାଗ ନେଇଥିଲେ । ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ସହ କିଛି ରାସ୍ତା ଯାତ୍ରା କରିଥିଲେ ।

ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ଉଭୟ ଯୁବ ନେତା ରାହୁଲ ଗାନ୍ଧି ଏବଂ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେବାରେ ସକ୍ଷମ ଅଟନ୍ତି । ସେ କହିଛନ୍ତି ଯେ, ଆଦର୍ଶଗତ ପାର୍ଥକ୍ୟ ସତ୍ତ୍ୱେ ସେ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଛନ୍ତି । କାରଣ ଏହି ସମୟରେ ଗଣତନ୍ତ୍ର ଏବଂ ସମ୍ବିଧାନ ବିପଦରେ ରହିଛି । ସେ କହିଛନ୍ତି ଯେ, କଂଗ୍ରେସ-ଶିବସେନା ସଂପର୍କରେ ଅନେକ ଉତ୍ଥାନ ଓ ପତନ ଘଟିଛି । ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ମହା ବିକାଶ ଅଘାଡ଼ି ମିଳିତ ମଞ୍ଚ ସମୟରେ ଏହା ଅଧିକ ଦେଖିବାକୁ ମିଳିଥିଲା । ତେବେ ପରେ ମଧ୍ୟ ସେଠାରେ ଉଦ୍ଧବଙ୍କ ନେତୃତ୍ୱରେ ଏକ ସରକାର ଗଠନ କରାଯାଇଥିଲା, କିନ୍ତୁ ଚଳିତ ବର୍ଷ ଜୁନ୍ ମାସରେ ସରକାର ଭାଙ୍ଗି ଯାଇଥିଲା ।

ଏହି ଗସ୍ତ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଆଦିତ୍ୟ ଠାକରେ କହିଛନ୍ତି ଯେ, ବାଲାସାହେବ ଠାକରେଙ୍କ ସହ ଇନ୍ଦିରା ଗାନ୍ଧୀଙ୍କ ଭଲ ସମ୍ପର୍କ ରହିଥିଲା । କଂଗ୍ରେସ ଏବଂ ଶିବସେନା ନେତାମାନେ ବନ୍ଧୁ ରହି ଆସିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବାଲାସାହେବ ଠାକରେ ପ୍ରତିଭା ପାଟିଲ ଏବଂ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ । ଏଭଳି ପରିସ୍ଥିତିରେ ଆମେ ବର୍ତ୍ତମାନ ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଏକାଠି ହୋଇଛୁ । ରାହୁଲ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଅଟକି ଲୋକଙ୍କ ସହ କଥା ହୋଇଥିଲେ । ସୂଚନା ଥାଉ କି କଂଗ୍ରେସର ଭାରତ ଯୋଡ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା। ତାମିଲନାଡୁ ପରେ ଏହି ପଦଯାତ୍ରା କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଦେଇ ମହାରାଷ୍ଟ୍ରରେ ପହଞ୍ଚିଛି। ମହାରାଷ୍ଟ୍ରରେ ଏହି ଯାତ୍ରା ୧୫ଟି ବିଧାନସଭା ଏବଂ ୬ଟି ସଂସଦୀୟ ନିର୍ବାଚନମଣ୍ଡଳୀ ଦେଇ ଗତି କରିବ। ଏହି ସମୟରେ ୩୮୨ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ନଭେମ୍ବର ୨୦ରେ ମଧ୍ୟପ୍ରଦେଶରେ ପ୍ରବେଶ କରିବ।

ad-week
Leave A Reply

Your email address will not be published.